ନେତାଙ୍କୁ ଭକ୍ତଙ୍କ ପ୍ରଥମ ଫତଓ୍ବା, ମତ ଦେବା ପୂର୍ବରୁ ପରାମର୍ଶ ନିଅ

ଭୁବନେଶ୍ବର : ନେତାଙ୍କୁ ଭକ୍ତଙ୍କ ପ୍ରଥମ ଫତଓ୍ବା। ମତ ଦେବା ପୂର୍ବରୁ ପରାମର୍ଶ ନିଅ।ଜୟଦେବ କହିଲେ ସ୍ବାଧୀନ ମତ ଦେବା ସମସ୍ତଙ୍କ ଅଧିକାର। ତାରା ଓ ଶରତ ବାଢିଲେ ଭିନ୍ନ ଯୁକ୍ତି।ଫତଓ୍ବାକୁ ନେଇ କଂଗ୍ରେସ ରାଜନୀତି ହଲଚଲ।ପିସିସି ସଭାପତି ହେବାର ସପ୍ତାହ ମଧ୍ୟରେ ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି ଭକ୍ତ ଚରଣ ଦାସ। ଏଣିକି କୌଣସି ପ୍ରସଙ୍ଗରେ ଗଣମାଧ୍ୟମ କି ସାମାଜିକ ଗଣମାଧ୍ୟମରେ କଂଗ୍ରେସ ନେତା ମତ ଦେବା ପୂର୍ବରୁ ପରାମର୍ଶ ନେବାକୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ସିଧାସଳଖ ନେତାଙ୍କୁ କୁହାଯାଇଛି କଂଗ୍ରେସ ଆଭିମୁଖ୍ୟ ନେଇ ମତ ଦିଅ।ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ଯୋଗୁଁ ଦଳର ଭାବମୁର୍ତ୍ତି କ୍ଷୁଣ୍ଣ ହେଉଛି। ଦଳର ବରିଷ୍ଠ ନେତାଙ୍କୁ ଫତୱା ଜରିଆରେ ପରୋକ୍ଷରେ ତାଗିତ ସହ ସହଯୋଗ ଲୋଡ଼ିଛନ୍ତି ସଭାପତି। ସେପଟେ ପିସିସି ସଭାପତିଙ୍କ ଫତଓ୍ବାକୁ ନେଇ ଦଳର ବରିଷ୍ଠ ନେତା ଭିନ୍ନ ଭିନ୍ନ ମତ ରଖିଛନ୍ତି।ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ସମସ୍ତଙ୍କ କହିବାର ଅଧିକାର ଅଛି। ୨୦୨୯ କଂଗ୍ରେସ ପାଇଁ ଶେଷ ସୁଯୋଗ। ତେଣୁ ସମସ୍ତେ ଏକାଠି ହୋଇ କାମ କରିବା ଦରକାର।ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ। ଅନ୍ୟପଟେ ଦଳରେ ଶୃଙ୍ଖଳା ପାଇଁ ସଭାପତି ଫତଓ୍ବା ଜାରି କରିଥିବା କହିଛନ୍ତି ବରିଷ୍ଠ ନେତା ଶରତ ରାଉତ। ଯାହାକୁ ନେଇ କଂଗ୍ରେସ ରାଜନୀତି ହଲଚଲ ।

ପିସିସି ସଭାପତିଙ୍କ ନିର୍ଦ୍ଦେଶନାମାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି।କହିଛନ୍ତି, ଦଳ ପକ୍ଷରୁ ବିଧାନସଭାରେ ମୁଲତବି ପ୍ରସ୍ତାବ ଆସୁଥିବା ବେଳେ କିଛି ଜଣ ଏହାକୁ ବିରୋଧ କରୁଥିଲେ।କାହାର କାହା ସହ ତାଳମେଳ ନଥିଲା। ଏ ସବୁ ପାଇଁ ପିସିସି ସଭାପତି ଫତଓ୍ବା ଜାରି କରିଛନ୍ତି। କାହାକୁ କହିବାର ଅଧିକାରରୁ ବଂଚିତ କରାଯାଇ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ତାରା।କେଉଁମାନେ ସେହି ବିଧାୟକ ଯେଉଁମାନେ ଦଳରେ ଥାଇ କଂଗ୍ରେସ ପକ୍ଷରୁ ଦିଆଯାଉଥିବା ମୁଲତବି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ହେଲେ ଏ ସବୁର ଖୁଲାସା କିନ୍ତୁ କରିନାହାନ୍ତି ତାରା। ପିସିସି ସଭାପତି ନିର୍ଦ୍ଦେଶନାମାକୁ ନେଇ କଂଗ୍ରେସ ରାଜନୀତି ହଲଚଲ।ଦଳର ମତକୁ ଗୋଟିଏ କରିବାକୁ ନା ପୁଣିଥରେ ଗୋଷ୍ଠୀ ସକ୍ରିୟ ଲାଗି ଏପରି ନିର୍ଦେଶନାମା, ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ପିସିସି ସଭାପତିକୁ ଫତୱାକୁ ନେଇ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ ।