ଆଜି କଂଗ୍ରେସର ନିର୍ବାଚନ ପରାଜୟ ସମୀକ୍ଷା ବୈଠକ, ଦଳର ଆଗାମୀ ଅଧ୍ୟକ୍ଷ ପାଇଁ ହୋଇପାରେ ମାନସ ମନ୍ଥନ

1 min read

ନୂଆଦିଲ୍ଲୀ: ଆଜି ନିର୍ବାଚନ ପରାଜୟର ସମୀକ୍ଷା କରିବ କଂଗ୍ରେସ । ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିବ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ସ୍ଥିତି ପରେ ଆଜି ଏହି ବୈଠକ ବସିବ । ଦଳରେ କୁହୁଳୁଥିବା ଅସନ୍ତୋଷ ଏବଂ ନିର୍ବାଚନରେ ପରାଜିତ ହେବାର କାରଣ ଖୋଜିବ ଦଳ । ବୈଠକରେ ପରାଜୟର ଉତ୍ତରଦାୟୀ କିଏ ହେବ ତା ଉପରେ ମଧ୍ୟ ସମୀକ୍ଷା ହେବ । ସେହିପରି ଦଳର ଆଗାମୀ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ମଧ୍ୟ ଆଲୋଚନା କରାଯିବ ।

ଅନ୍ୟପଟେ ଦଳରେ ଶୋଚନୀୟ ପରାଜୟ ପରେ ଅସନ୍ତୁଷ୍ଟ ନେତା ପୁଣି ଥରେ ଆକ୍ଟିଭ୍‌ ହୋଇଯାଇଛନ୍ତି । ଜି-୨୩ ନାଁରେ ଜଣାଥିବା ଏହି ନେତାମାନେ ଏବେ ପୁଣି ଏକାଠି ହୋଇ ଅସନ୍ତୋଷ ଜାହିର କରିବା ସହ ନେତୃତ୍ବ ବଦଳାଇବାକୁ ଜୋରସୋରରେ ଉଦ୍ୟମ ଆାରମ୍ଭ କରିଛନ୍ତି । ପୂର୍ବରୁ ୨୦୨୦ରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଚିଠି ଲେଖିଥିଲେ ଜି-୨୩ ନେତା । ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସ ସାଂସଦ ଶଶି ଥରୁର୍‌ କହିଥିଲେ ଯେ ନୈରାଶ୍ୟଜନକ ଫଳାଫଳ ପରେ ଏବେ ଦଳରେ ନେତୃତ୍ବ ପରିବର୍ତ୍ତନ ନିହାତି ଆବଶ୍ୟକ । ଦଳର ଭାଗ୍ୟ ପରିବର୍ତ୍ତନ କରିବାକୁ ହେଲେ ନେତୃତ୍ବ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ଥରୁର୍‌ କହିଥିଲେ ।