ବିଜେପିକୁ କଂଗ୍ରେସର ଚରମ ଚେତାବନୀ: କାର୍ଯ୍ୟାନୁଷ୍ଠାନ ନ ନେଲେ ଆମେ ବି ତୁମ ଅଫିସରେ ପଶିବୁ

1 min read

ଭୁବନେଶ୍ବର: ତେଜୁଛି କଂଗ୍ରେସ ଭବନ ଗଣ୍ଡଗୋଳ ବିବାଦ । ସିଧା ସିଧା ଚେତାବନୀ ଦେଇଛି କଂଗ୍ରେସ । କାର୍ଯ୍ଯାନୁଷ୍ଠାନ ନହେଲେ ବିଜେପି ଅଫିସରେ ଧସେଇ ପଶିବାକୁ ଆମେ ମଧ୍ଯ ପଛାଇବୁ ନାହିଁ । କ୍ଷମତାକୁ ଆସୁ ଆସୁ ଏ ଯେଉଁ ହିଂସାକାଣ୍ଡ କରୁଛ, ସେଇ ଗୁଜୁରାଟ ମଡେଲ । ଶାନ୍ତିପ୍ରିୟ ଓଡ଼ିଶାରେ ଗୁଜୁରାଟ ମଡେଲ କାର୍ଯ୍ଯକାରୀ କରନି, ନହେଲେ ସ୍ଥିତି ଭୟାବହ ହେବ । କଂଗ୍ରେସ ଭବନ ହିଂସାକାଣ୍ଡ ପ୍ରତିବାଦରେ କାଲି କମିଶନରେଟ ଅଫିସ ଘେରାଉ ସହିତ ସବୁ ଏସପି ଅଫିସ ଘେରାଉ କରିବ ବୋଲି କଂଗ୍ରେସ କହିଛି ।

କଂଗ୍ରେସ ଭବନ ଗଣ୍ଡଗୋଳ ଘଟଣାରେ ବିଜେପିକୁ ଚେତାବନୀ ଦେଇଛି କଂଗ୍ରେସ । ଆକ୍ରମଣର ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, କ୍ଷମତାକୁ ଆସିବାର ମାସେ ବି ହୋଇନି, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ଯରେ ଅରାଜକତା ଓ ହିଂସା ଆରମ୍ଭ କରିଦେଇଛି ବିଜେପି । କଂଗ୍ରେସ ଅଫିସରେ ପଶି କର୍ମୀଙ୍କୁ ଆକ୍ରମଣ କରିବା, ଢେଲା ମାଡ଼, ଗୋବର ମାଡ଼ରୁ ଏହା ସ୍ପଷ୍ଟ ହୋଇଛି । ବିଜେପିର ଏପରି ଆଚରଣକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେନି ।

ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ନିଜ କର୍ମୀଙ୍କ ଲଜ୍ଜାଜନକ କାମ ପାଇଁ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ କ୍ଷମା ମାଗନ୍ତୁ । ନ ହେଲେ ବିଜେପି ଅଫିସରେ ଧସେଇ ପଶିବାକୁ କଂଗ୍ରେସ କର୍ମୀ ପଛାଇବେ ନାହିଁ ।

ବାଳକ ବୁଦ୍ଧି କହି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମୋଦି ଲୋକସଭାରେ କଟାକ୍ଷ କରିଥିବାରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି, ବିଜେପି ସରକାର ଆସିବାର ମାସେ ବି ହୋଇନି, ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେଲାଣି । ବାଲେଶ୍ବର, ଖୋର୍ଦ୍ଧା, କଟକ ପରି ସ୍ଥାନରେ ଗଣ୍ଡଗୋଳ ହେବା ଏହାର ଉଦାହରଣ । ଓଡ଼ିଶାରେ ବିଜେପି ଗୁଜୁରାଟ ମଡେଲ କାର୍ଯ୍ୟକାରୀ ନ କରୁ ବୋଲି ସେ କହିଛନ୍ତି । ସୁରେଶ ରାଉତରାୟ ମଧ୍ଯ ବିଜେପିକୁ କଡ଼ା ଭର୍ତ୍ସନା କରିଛନ୍ତି । କଂଗ୍ରେସ ଭବନ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ଯୁବ ଓ ଛାତ୍ର କଂଗ୍ରେସ ସବୁ ଏସପି ଅଫିସ ଘେରାଉ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଗତ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଛାତି ଉପରେ କଂଗ୍ରେସ ଭବନ ଆଗରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ରାହୁଲ ଗାନ୍ଧୀଙ୍କ ମନ୍ତବ୍ଯ ପ୍ରତିବାଦରେ ବିଜେପି କର୍ମୀ ବିକ୍ଷୋଭ କରିବା ବେଳେ ତାହା ହିଂସାକାଣ୍ଡର ରୂପ ନେଇଥିଲା । ଉଭୟ ପଟରୁ ହୋଇଥିଲା ଟେକା ପଥର ମାଡ଼ । କେତେକ କର୍ମୀଙ୍କ ମୁଣ୍ଡ ମଧ୍ଯ ଫାଟିଥିଲା । ଏଥିପାଇଁ ବିଜେପି-କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି ।