ସଂସଦ ଇତିହାସରେ କଳଙ୍କ: ବିଜେପି ଓ କଂଗ୍ରେସ ସାଂସଦ ଠେଲାପେଲା, ତେଜିଲା ରାଜନୀତି

1 min read

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିରରେ ଅଶୋଭନୀୟ ଆଚରଣ । ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଠେଲାପେଲା । ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ଲାଗି ଦେଖା ଦେଇଛି ଏପରି ଘଟଣା । ମାମଲା ପହଞ୍ଚିଛି ଥାନାରେ । ଆଦାନୀ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଆଜି ସଂସଦ ବାହାରେ ଚାଲିଥିଲା ହଙ୍ଗାମା । ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ସାଂସଦମାନେ ବିକ୍ଷୋଭ କରିଥିଲେ । ଏପରିକି ଦୁଇ ଦଳର ସାଂସଦଙ୍କ ମଧ୍ଯରେ ହୋଇଥିଲା ଠେଲାପେଲା ।

ଏଥିରେ ସଂସଦ ଗେଟ ଶିଡିରେ ପଡି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ । ପ୍ରତାପ ଅଭିଯୋଗ କରିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣକୁ ଠେଲି ଦେବାରୁ ସେହି ବ୍ଯକ୍ତି ତାଙ୍କ ଉପରେ ପଡିଯିବାରୁ ସେ ଆହତ ହୋଇଥିଲେ । ସେପଟେ ବିଜେପି ସାଂସଦଙ୍କ ଠେଲାପେଲାରେ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ବୋଲି ସେ ଅଭିଯୋଗ କରିଥିଲେ । ଦୁଇ ପକ୍ଷରୁ ଏହି ଘଟଣାକୁ କେନ୍ଦ୍ର କରି ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗକୁ ରାହୁଲଙ୍କ ଖଣ୍ଡନ, ଖଡଗେ କହିଲେ ଗୃହମନ୍ତ୍ରୀଙ୍କ ବୟାନ ଦୁଃଖଦାୟକ

ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାହୁଲ । ସେ କହିଛନ୍ତି, ସଂସଦରେ ପ୍ରବେଶ ଦ୍ଵାରରେ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦ ଅଟକାଇବାକୁ ଚେଷ୍ଟା କରିଥିଲେ । ଧକ୍କାମୁକ୍କିରୁ କିଛି ହୁଏ ନାହିଁ । ସଂସଦ ଭିତରକୁ ଯିବା  ଅଧିକାର ତାଙ୍କ ପାଖରେ ଅଛି । ଏନଡିଏ ସାଂସଦ ଜାଣିଶୁଣି ଏପରି ଅଚଳାବସ୍ଥା ସୃଷ୍ଟଇ କରିଛନ୍ତି ।

ସେହିପରି ଖଡଗେ କହିଛନ୍ତି, ବାବା ସାହେବଙ୍କ ଉପରେ ଗୃହମନ୍ତ୍ରୀଙ୍କ ବୟାନ ଦୁଃଖଦାୟକ । ସେ ଜାଣି ଶୁଣି ଏଭଳି କରୁଛନ୍ତି । ନେହରୁ ଓ ଆମ୍ବେଦକରଙ୍କ ଉପରେ ଯାହା କହିଛନ୍ତି ସବୁ ମିଛ । ନେହରୁଙ୍କୁ ଗାଳି ଓ ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି । ବାବା ସାହେବଙ୍କୁ ପରିହାସର ପାତ୍ର କରିଦେଇଛନ୍ତି । ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଛି । ଆମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆମକୁ ରୋକି ଥିଲେ । ଏବେ ଆମ ଉପରେ ଦୋଷ ଲଦୁଛନ୍ତି । ବିଜେପି ଷଡ଼ଯନ୍ତ୍ର ବିରୋଧରେ ଦେଶ ସାରା ଆନ୍ଦୋଳନ କରିବୁ । ଆମେ ଲୋକଙ୍କ ସମସ୍ୟା ନେଇ ଲଢ଼େଇ କରୁଛୁ । ଗ୍ୟହମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ତେଣେ ଲୋକସଭାର ୬ କଂଗ୍ରେସ ସାଂସଦ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।

ରାହୁଲ ଓ ଖଡଗେଙ୍କୁ ଶିବରାଜଙ୍କ ସମାଲୋଚନା

ଅନ୍ୟପକ୍ଷରେ ଘଟଣାକୁ ନେଇ ବଂଗ୍ରେସକୁ ସମାଲୋଚନା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି । ଏହାସହ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସଂସଦରେ ଯାହା ଘଟିଲା ତାହା କଳ୍ପନାତୀତ ଓ ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି ।

ଯାହା ଘଟିଲା ତା’ର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ: ବିଜେଡି

ଆଜି ସଂସଦରେ ଘଟିଥିବା ଘଟଣା ସଂସଦର ଗାରିମାକୁ କ୍ଷୁର୍ଣ୍ଣ କରିଛି । ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ ବୋଲି ବିଜେଡି କହିଛି । ଗଣତନ୍ତ୍ରର ମନ୍ଦିର ସ୍ବରୂପ ସଂସଦର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଅହିଂସାର ଗୁରୁତ୍ବ ଉପଲବ୍ଧି କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଅତ୍ୟନ୍ତ ଜରୁରୀ । ଯେଉଁ ବ୍ୟକ୍ତି ଆଇନକୁ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହାକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ । ସାଂସଦ ହୁଅନ୍ତୁ କି ବିଧାୟକ ବା ରାଜ୍ୟପାଳଙ୍କ ପୁଅ, କେହି ବି ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ବିଜେଡି କହିଛି ।

ସାରା ଦେଶରେ ଆନ୍ଦୋଳନ, ବିକ୍ଷୋଭ

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ବିରୋଧରେ ସାରା ଦେଶରେ ଆନ୍ଦୋଳନ । କଂଗ୍ରେସ, ଆପ୍‌ ସମେତ ବିଭିନ୍ନ ଦଳ କରିଛନ୍ତି ପ୍ରତିବାଦ । ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ଯାନ୍ଯ ସହରରେ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ କରିଛନ୍ତି ପ୍ରତିବାଦ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି, ମୁମ୍ବାଇରେ ବଞ୍ଚିତ ବହୁଜନ ଅଘାଡି, ହାଇଦ୍ରାବାଦରେ କଂଗ୍ରେସ ଲିଗାଲ ସେଲ ପକ୍ଷରୁ ମଧ୍ଯ ପ୍ରତିବାଦ କରାଯାଇଛି । ସଂସଦ ଭବନ ବାହାରେ ଇଣ୍ଡି ମେଣ୍ଟ ସାଂସଦ କରିଛନ୍ତି ପ୍ରତିବାଦ ।

ଭୁବନେଶ୍ବରରେ ବିଜେପି-କଂଗ୍ରେସର ପରସ୍ପର ବିରୋଧରେ ବିକ୍ଷୋଭ

ସେହିପରି ରାଜଧାନୀ ଭୁବନେଶ୍ବରରେ ନିଜ ପକ୍ଷ ରଖିବା ସହ ପରସ୍ପରକୁ ଆକ୍ଷେପ କରି ବିକ୍ଷୋଭ ପଦର୍ଶନ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ମରାଯିବା ଓ ଆହତ ହେବା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଓଡିଶା ଶାଖା ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଯୁବ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ଏକ ବଡ଼ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ଟାୟାର ଜାଳି ପ୍ରତିବାଦ କରାଯାଇଛି । ରାହୁଲ ନିଜର ଏହି କାର୍ଯ୍ୟ ପାଇଁ ତୁରନ୍ତ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦଳ ଦାବି କରିଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ଯୁବ ମୋର୍ଚାର ନେତା ।

ସେହିପରି ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅସମ୍ମାନ ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଆମ୍ବେଦକରଙ୍କୁ ଅସମ୍ମାନ କରିବା ଦ୍ୱାରା ବିଜେପିର ଅସଲ ଚେହେରା ପଦାରେ ପଡିଛି ବୋଲି ଦଳ ଅଭିଯୋଗ କରିଛି । ତେଣୁ ତୁରନ୍ତ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି । ସମ୍ବିଧାନ ପ୍ରତି ବିଜେପିର ବିଶ୍ୱାସ ନ ଥିବା ଏହି କଥାରୁ ପ୍ରମାଣିତ ହେଉଥିବା ଅଭିଯୋଗ ହେବା ସହ ଶତାଧିକ କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।