ତୈଳଦର ବୃଦ୍ଧି ନେଇ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: ବ୍ଲକ ପରେ ଆଜି ଜିଲ୍ଲା ସ୍ତରରେ କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦ । ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ ଦଳ । ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବେଲଗାମ ହେଉଛି । ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବାରେ ଲାଗିଛି ।
କରୋନା ସମୟରେ ଲୋକ ରୋଜଗାର ହରାଇଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହାର ପ୍ରତିବାଦରେ ଗତ ୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ ହେଉଥିବା ବେଳେ ଆସନ୍ତା ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । ପରେ ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ।