ସଂସଦ ପରେ ସଡ଼କରେ ଆମ୍ବେଦକରଙ୍କୁ ଅପମାନ ବିରୋଧରେ ଆଜିଠୁ ପ୍ରତିବାଦ କରିବ କଂଗ୍ରେସ

ନୂଆଦିଲ୍ଲୀ: ବାବା ସାହେବ ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ବିରୋଧରେ ତାତିଲା କଂଗ୍ରେସ। ସଂସଦ ପରେ ସଡ଼କରେ ଆମ୍ବେଦକରଙ୍କୁ ଅପମାନ ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠାରୁ ଦେଶବ୍ୟାପୀ ଆମ୍ବେଦକର ସମ୍ମାନ ସପ୍ତାହ ପାଳିବ କଂଗ୍ରେସ।

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତାମାନେ ପୁଷ୍ପ ମାଲ୍ୟ ପ୍ରଦାନ କରିବେ। ଏହା ସହ ଜିଲ୍ଲାସ୍ତରରେ ପ୍ରତିବାଦ ସଭାକରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ଦିଆଯିବ। ବିଜେପି ଦଳିତ, ଆଦିବାସୀ ଓ ଜନଜାତି ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦମାନେ କ୍ଷମା ପ୍ରାର୍ଥନା ନ କରିବା ଦୁର୍ଭାଗ୍ଯଜନକ କହିଛି କଂଗ୍ରେସ।

କ୍ଷମତା ଅହଙ୍କାରରେ କଂଗ୍ରେସ ସାଂସଦଙ୍କୁ ବିଜେପି ସାଂସଦମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ।ଏଥିରୁ ପ୍ରମାଣିତ ହୋଇଥିଲା ବିଜେପି ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ୨୬ରୁ ଅଧିକ ମିଥ୍ୟା କେସ କରି ବିଜେପି ତାଙ୍କୁ ଡ଼ରାଇବାକୁ ଚେଷ୍ଟା କରୁଛି । ହେଲେ ରାହୁଲ ଭୟଭୀତ ହେବେ ନାହିଁ ବୋଲି କହିଛି କଂଗ୍ରେସ।