ଲୋକସଭା ବାଚସ୍ପତିଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ନୂଆଦିଲ୍ଲୀ: ଗଣତନ୍ତ୍ରର ସୁରକ୍ଷା ଲାଗି ଚାଲିବ ଅଭିଯାନ । କେନ୍ଦ୍ର ସରକାରଙ୍କ ମନମାନି ବିରୋଧରେ ବିରୋଧୀ ଜାରି ରଖିବେ ଆନ୍ଦୋଳନ । ଆଜି ସଂସଦ ଭବନ ପରିସରରେ କଂଗ୍ରେସର ରାଜ୍ୟସଭା ଓ ଲୋକସଭା ସାଂସଦମାନେ ବୈଠକରେ ଉପନୀତ ହୋଇ ସ୍ଥିତି ସମୀକ୍ଷା କରିଛନ୍ତି । ତେଣେ ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଆହ୍ବାନରେ ତୃଣମୂଳ କଂଗ୍ରେସ ସାଂସଦମାନେ ସଂସଦ ଭବନର ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ଦେଇଛନ୍ତି ଧାରଣା ।

ଆଜି ଲୋକସଭାରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ସାଂସଦ ମନୀଷ ତିଓ୍ବାରି ଆଣିଥିଲେ ମୁଲତବି ପ୍ରସ୍ତାବ। ସେହିପରି ଆଦାନୀ ଗ୍ରୁପ ପ୍ରସଙ୍ଗ ଓ ରାହୁଲ ଗାନ୍ଧି ପ୍ରସଙ୍ଗରେ କଂଗ୍ରେସ ସାଂସଦ ମାଣିକରାମ ଟାଗୋର ମଧ୍ୟ ଆଣିଥିଲେ ମୁଲତବି ପ୍ରସ୍ତାବ । ଲୋକସଭା ବାଚସ୍ପତିଙ୍କୁ ଅଯୋଗ୍ୟ ଘୋଷଣା ଲାଗି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ସୂଚନା ମିଳିଛି ।

ସେପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଦଳ ଲୋକସଭାରେ ଘେରିଛନ୍ତି । ଆଜି ସଂସଦ ଭବନରେ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଉପସ୍ଥିତ ଥିଲେ। ସେପଟେ କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ । ୨୦୧୯ରେ କର୍ଣ୍ଣାଟକରେ ଯେଉଁଠୁ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ସେଇଠୁ ହିଁ ରାହୁଲ ପ୍ରଚାର ଅଭିଯାନ ଆରମ୍ଭ କରିବେ ।