ରାଜ୍ୟ କଂଗ୍ରେସକୁ ଘାରିଛି ଦଳୀୟ ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର: ୨୦୨୪ ପାଇଁ ରାଜ୍ୟ କଂଗ୍ରେସକୁ ଘାରିଛି ଦଳୀୟ ପ୍ରାର୍ଥୀ ଚିନ୍ତା । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ରଣନୀତି ସେତେ ଅସ୍ପଷ୍ଟତା ଆଡ଼କୁ ଯାଉଛି । ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ପିସିସି ସଭାପତି ବି ନିର୍ବାଚନ କେଉଁଠୁ ଲଢିବେ ତାହା ଜାଣିନାହାନ୍ତି । ଦଳର ବରିଷ୍ଠ ନେତାମାନେ ଲଢେଇ ପୂର୍ବରୁ ମଇଦାନ ଛାଡ଼ିବା ନିଷ୍ପତ୍ତି ନେଇ ପୁଅମାନଙ୍କୁ ଉତ୍ତରାଧିକାରୀ ଭାବେ ପ୍ରୋଜେକ୍ଟ କରିଛନ୍ତି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପରିବାର ରାଜନୀତିରେ ଛନ୍ଦି ହୋଇ ଦଳୀୟ ଟିକେଟରେ ପୁଅକୁ ଲଢାଇବେ କି ନାହିଁ ସେଇ ଚିନ୍ତାରେ ଘାରି ହେଉଛନ୍ତି । ୨୦୧୯ରେ ଦଳୀୟ ଟିକେଟ ପାଇଥିବା ଅଧା ପ୍ରାର୍ଥୀଙ୍କୁ ୨୪ରେ ରିପିଟ କରିବାକୁ କିନ୍ତୁ ପିସିସି ନିଷ୍ପତି ନେଇଛି ।

ପାଖଉଛି ନିର୍ବାଚନ, ବଢୁଛି ଟେନସନ । ନିର୍ବାଚନୀ ପ୍ରସ୍ତୁତିରେ କଂଗ୍ରେସର ସବୁଠି ଅସ୍ପଷ୍ଟ ଚିତ୍ର । ମଙ୍ଗୁଆଳ ଶରତଙ୍କ ନାହିଁ ନିର୍ବାଚନ ମଣ୍ଡଳୀ । ସୁରଙ୍କୁ ଘାରିଛି ପରିବାର ରାଜନୀତି ଘଣ୍ଟାଚକଟା । ୬୯ ଆସନରେ ପ୍ରାର୍ଥୀ ରିପିଟ ପାଇଁ କସରତ । ୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ରାଜ୍ୟ କଂଗ୍ରେସକୁ ଘାରିଛି ପ୍ରାର୍ଥୀ ଚିନ୍ତା । ଦଳର ହେଭିଓ୍ବେଟ ନେତା ବି ଜାଣିନାହାନ୍ତି କଣ ହେବ ସେମାନଙ୍କ ଭାଗ୍ୟ । ୯ରୁ ୯୦ ମିଶନ ସ୍ଲୋଗାନ ଦେଉଥିବା ପିସିସି ସଭାପତି ଜାଣିନାହାନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି । ଦଳ ତାଙ୍କୁ ଯେଉଁଠି ଟିକେଟ ଦେବ ସେଠାରୁ ନିର୍ବାଚନ ଲଢିବେ ବୋଲି ପିସିସି ସଭାପତି କହିଛନ୍ତି । ୨୦୧୯ ନିର୍ବାଚନରେ କମ ବ୍ୟବଧାନରେ ହାରିଥିବା ୬୯ ଜଣ ପ୍ରାର୍ଥୀଙ୍କୁ ଦଳ ପୁଣିଥରେ ଟିକେଟ ଦେବାକୁ ଅଙ୍କ କଷୁଛି । ଏପରି ସ୍ଥିତିରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ଓଡ଼ିଶାରେ କେଉଁଠି ହେବ ସେ ଚିନ୍ତା ମଧ୍ୟ ପିସିସିକୁ ଘାରିଛି । ଦଳକୁ ଏକଜୁଟ କରି ନିର୍ବାଚନ ପାଇଁ ଯାହା ପରିବର୍ତ୍ତନ ଆବଶ୍ୟକ ତାହା ଉପରେ ହାଇକମାଣ୍ଡ ଗୁରୁତ୍ବ ଦେଉଛନ୍ତି ବୋଲି ଦଳର ବରିଷ୍ଠ ନେତା କହିଛନ୍ତି  ।

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପରିବାର ରାଜନୀତିରେ ଘାଣ୍ଟି ହେଉଛନ୍ତି । ଦୁଇ ପୁଅକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଥିବା ସୁର କିନ୍ତୁ ଦଳୀୟ ଟିକେଟରେ ପୁଅଙ୍କୁ ମଇଦାନକୁ ଓହ୍ଲାଇବେ କି ନାହିଁ ଦ୍ବନ୍ଦରେ ପଡ଼ିଛନ୍ତି । ସାନପୁଅ କଂଗ୍ରେସ ଟିକେଟରୁ ନଲଢିବା ପାଇଁ ସଫାସଫା କହିଥିବା ବେଳେ ପୁଅ କେଉଁ ଦଳରୁ ଲଢିବ ତାହା ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ସୁର କହିଛନ୍ତି । ଏପରି ସ୍ଥିତିରେ ଚବିଶ ନିର୍ବାଚନରେ କଂଗ୍ରେସର କିଛି ସମ୍ଭାବନା ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ସଂଗଠନ ତୃଣମୂଳ ସ୍ତରରେ ଧ୍ବସ୍ତବିଧ୍ବସ୍ତ । ଏହାରି ଭିତରେ ସଂଗଠନକୁ ଚଳଚଞ୍ଚଳ  କରିବାକୁ ହାଇକମାଣ୍ଡ ଓଡ଼ିଶାରେ ନୂଆ ପ୍ରଭାରୀ ନିଯୁକ୍ତି କରିଛନ୍ତି । ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ଦଳର ଚେହେରା ସାଜିଥିବା ନେତାମାନେ ଅସ୍ପଷ୍ଟ ବୟାନ ଦେଇ ନିର୍ବାଚନ ପ୍ରସ୍ତୁତିରେ କେଁ ପୂରାଉଛନ୍ତି ।