ରାଜ୍ୟ କଂଗ୍ରେସକୁ ଭରସା କେନ୍ଦ୍ରୀୟ ନେତା

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ କେନ୍ଦ୍ରୀୟ ନେତା ଭରସା । କନ୍ଦଳ ଭିତରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କୁ ଆଣି ଦଳ ତୃଣମୂଳ ସ୍ତରରୁ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନିଜ ଉପରୁ ଦଳୀୟ ନିଲମ୍ବନ ଉଠାଇବା ପାଇଁ ବିଧାୟକ ମହମ୍ମଦ ମୋକିମ ବ୍ୟାକଳୁ ଥିବା ବେଳେ ଏବେ ନିଲମ୍ବନ ଉଠିବ ନାହିଁ ବୋଲି ପିସିସି ପ୍ରଭାରୀ କହିଛନ୍ତି । ସେପଟେ ଟିକେଟ୍‌ ବଣ୍ଟା ନେଇ କଂଗ୍ରେସ କସରତ ଆରମ୍ଭ କରିଛି ।

ରାଜ୍ୟ କଂଗ୍ରେସକୁ ଘାରିଛି ସ୍ଥିତି ସୁଧାରିବା ଚିନ୍ତା । ଦଳ ନେବ କେନ୍ଦ୍ରୀୟ ନେତାଙ୍କ ସହାୟତା । ଓଡ଼ିଶା ଆସିବାକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆମନ୍ତ୍ରଣ । ମୋକିମଙ୍କ ନିଲମ୍ବନକୁ ଝୁଲାଇ ରଖିଲେ ପ୍ରଭାରୀ । ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କ ସହାୟତାରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀଙ୍କୁ ନେଇ ୪ଟି ବଡ଼ସଭା କରିବାକୁ ଦଳ ଲକ୍ଷ୍ୟ ରଖିଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ କଂଗ୍ରେସର ଟପ୍‌ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବାରୁ ଦଳ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୪ ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବୁଥ୍‌ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

ସେପଟେ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ନଉଠାଇବା ନେଇ କଂଗ୍ରେସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ଏବେ ନିଲମ୍ବନ ଉଠିବ ନାହିଁ । ପିସିସି ସଭାପତି ମଧ୍ୟ ପ୍ରଭାରୀଙ୍କ ସହ ସ୍ବର ମିଳାଇଛନ୍ତି । ଯାହା ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତାମାନେ ନିର୍ବାଚନ ଲଢ଼ିବା ନେଇ ଦ୍ବନ୍ଦ୍ବ ଲାଗି ରହିଛି । ନିର୍ବାଚନ ପ୍ରସ୍ତୁତି ଭିତରେ କଂଗ୍ରେସରେ ନିଲମ୍ବନ ଓ ନିର୍ବାଚନ ଲଢ଼ିବା ଦ୍ବନ୍ଦ୍ବକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ।

କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣି ସଂଗଠନକୁ ଚଳଚଞ୍ଚଳ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । କିନ୍ତୁ ଓଡ଼ିଶାକୁ ଏଆଇସିସି ଫୋକସ୍‌ କରୁନଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସ ୨୪ ନିର୍ବାଚନ ପାଇଁ କିପରି ପାଗ ଭିଡ଼ିବ ତା’ ଉପରେ ସମସ୍ତଙ୍କ ନଜର ।