ପିପିଲି ଗସ୍ତରେ ରାଜ୍ୟ କଂଗ୍ରେସର ୧୦ ଜଣିଆ ଟିମ୍

ଭୁବନେଶ୍ୱର: କଂଗ୍ରେସର ପିପିଲି ରଣନୀତି । ରାଜ୍ୟ କଂଗ୍ରେସର ୧୦ଜଣିଆ ଟିମ୍ ପିପିଲି ଗସ୍ତରେ ଯାଇଛନ୍ତି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ।

ଏହି ଅବସରରେ ସେ କହିଛନ୍ତି ଯେ ପିପିଲିରେ ଦଳ କିପରି ସୁସଙ୍ଗଠିତ ହୋଇ ଲଢିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ତେବେ କର୍ମୀ ଯାହାକୁ ବାଛିବେ ତାଙ୍କୁ ପିପିଲି ନିର୍ବାଚନରେ ପ୍ରାର୍ଥୀ କରାଯିବ।

କଂଗ୍ରେସର ୧୦ଜଣିଆ ଟିମରେ ବରିଷ୍ଠ ବିଧାୟକ ସୁର ରାଉତରାୟ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ସାଂସଦ ପ୍ରାର୍ଥୀ ସତ୍ୟ ନାୟକ ପ୍ରମୁଖ ଅଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପିପିଲି ଉପନିର୍ବାଚନ ବିଜେଡି ମାନସ ମନ୍ଥନ କରିଥିଲା । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଭୁବନେଶ୍ବର ବାସଭନରେ ବୈଠକରେ ଆଲୋଚନା ହୋଇଥିଲା ।

ତେବେ ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହୋଇଥିଲା । ସେଦିନଠାରୁ ଖାଲି ପଡିଛି ପିପିଲି ଆସନ । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‌ ଆୟୋଜନ କରାଯାଇଛି । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ । ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

Leave a Reply