ବିଧାୟକଙ୍କୁ ନିଲମ୍ବନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ଟିମ୍

ଭୁବନେଶ୍ବର: ବିଧାନସଭାରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯିବା, ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ବିଧାୟକ ଏବଂ ବରିଷ୍ଠ ନେତାମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
ନାରୀ ନିର୍ଯାତନା ରାଜ୍ଯରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଏହା ଉପରେ ଏକ ହାଉସ କମିଟି ଗଠନ ଲାଗି ଦାବି କରିଆସୁଛି । କିନ୍ତୁ ଏହାକୁ ନେଇ ସରକାର, କଂଗ୍ରେସ ବିଧାୟକମାନଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଉନି । ସବୁ କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବନ କରାଯାଇଛି, ଏହା ଅଗଣତାନ୍ତ୍ରିକ । ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କୁ ବିଧାନସଭା ବାରଣ କରିବା ଅସମ୍ବିଧାନିକ କହି ଏହାର ପ୍ରତିବାଦ ରାଜ୍ଯପାଳଙ୍କ ନିକଟରେ କରିଛି କଂଗ୍ରେସ ।
କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ପୋଲିସ ଲଗେଇ ସରକାର ମାଡ଼ ମାରିଲେ । ଆନ୍ଦୋଳନକାରୀଙ୍କୁ ଲାଠିମାଡ, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲେ । ପୋଲିସ ପଥର ମାରିବା ଓ ଆନ୍ଦୋଳନକାରୀଙ୍କ ମୁଣ୍ଡ ଫଟାଇବା ଆଶ୍ଚର୍ଯ୍ୟଜନକ ବୋଲି କଂଗ୍ରେସ କହିଛି ।
ସେହିପରି ରାଜ୍ୟରେ ଦୀର୍ଘ ଦିନ ଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧ୍ୟକ୍ଷା ନିଯୁକ୍ତି ପାଇଁ ରାଜ୍ଯପାଳଙ୍କୁ ଦାବି ଜଣାଇଛୁ ବୋଲି କହିଛି କଂଗ୍ରେସ ଟିମ୍ । ସମସ୍ତ ଦାବି ଓ ପରାମର୍ଶକୁ ରାଜ୍ଯପାଳ ଗ୍ରହଣ କରିବା ସହିତ ଅନୁଧ୍ଯାନ କରିବେ ବୋଲି କହିଛନ୍ତି । କଂଗ୍ରେସକୁ ନ୍ୟାୟ ମିଳିବା ନେଇ ବିଶ୍ବାସ ରହିଛି ବୋଲି କହିଛନ୍ତି ଦଳୀୟ ନେତା ।