କୋଟିଆ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆ ନଯିବା ଓଡ଼ିଶାକୁ ଭାଗ ଭାଗ କରିବାକୁ ଷଡ଼ଯନ୍ତ୍ର ନୁହେଁ ତ ?

ଭୁବନେଶ୍ବର: ବିଜେପି ସରକାର ଯୋଜନାର ସୁଫଳ ପାଉନାହାନ୍ତି ଓଡ଼ିଶା ଲୋକେ । କୋଟିଆ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ନକରିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । କାହିଁକି କୋଟିଆ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବଞ୍ଚିତ କରାଯାଇଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସୀମାବର୍ତ୍ତୀ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଯୋଜନା ଅପହଞ୍ଚ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି କହିଛି ଯଦି କୋଟିଆ ମହିଳା ସୁଭଦ୍ରା ଟଙ୍କା ପାଇନାହାନ୍ତି ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ।

କୋଟିଆ ଆନ୍ଧ୍ର ନୁହେଁ, ଓଡ଼ିଶାର । ଏକଥାକୁ ବୋଧେ ଭୁଲିଗଲେଣି ବିଜେପି ସରକାର । ବିଜେପି ସରକାର ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ସରକାରୀ ଯୋଜନାରୁ ଲୋକଙ୍କୁ ବଞ୍ଚିତ କରୁଛନ୍ତି । କାହିଁକି କୋଟିଆ ମହିଳାମାନଙ୍କୁ ଏଯାଏଁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । କେବଳ ସୁଭଦ୍ରା ଯୋଜନା ନୁହେଁ, ଏଯାଏ ଭତ୍ତା ବି ଦିଆଯାଇନାହିଁ । କୋଟିଆବାସୀଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି କହିଛି କଂଗ୍ରେସ । ଏପରି କରି ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟକୁ ଚାଲିଯିବା ପାଇଁ ଓଡ଼ିଶା ଲୋକଙ୍କୁ ବାଧ୍ୟ କରୁଛନ୍ତି ।

ରାଜ୍ୟରେ ବିଜେପି ସରକାରକୁ ଆସିବା ଦିନଠାରୁ ଆଦିବାସୀଙ୍କୁ ଅଣଦେଖା କରି ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କାହିଁକି ଘୋଷଣା ସତ୍ତ୍ବେ ପେସା ଆଇନ ଅଣା ଯାଉନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସୁଭଦ୍ରା ଯୋଜନା କୋଟିଆ ମହିଳାଙ୍କୁ ନଦେବା ପ୍ରମାଣିତ କରିଛି ମୋହନ ସରକାର ଯୋଜନା ଗ୍ରାଉଣ୍ଡରେ କେତେ ସଫଳ ହୋଇଛି । ସୁଭଦ୍ରାକୁ ନେଇ ସରକାର କେବଳ ଆତ୍ମ ପ୍ରଚାରରେ ମାତିଛନ୍ତି ବୋଲି କହିଛି କଂଗ୍ରେସ ।

କେବଳ ସେତିକି ନୁହେଁ । ପୂର୍ବ ସରକାର ସମୟରେ କୋଟିଆରେ ସମସ୍ତ ସୁବିଧା ସୁଯୋଗ ଦିଆଯାଉଥିଲା । ରାସ୍ତାଘାଟଠାରୁ ଆରମ୍ଭ କରି ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା । କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ, କୋଟିଆରେ ୨୦୦୯ରେ ଲୋକଙ୍କୁ ଇନ୍ଦିରା ଆବାସ ବି ଯୋଗାଇ ଦିଆଯାଇଥିଲା । ହେଲେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସୀମାବର୍ତ୍ତୀ ଅଞ୍ଚଳରେ ଲୋକମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହେବା ସହ ପଡ଼ୋଶୀ ରାଜ୍ୟକୁ ଯିବାକୁ ବାଧ୍ୟ କରୁଛନ୍ତି ସରକାର ।

ସେପଟେ ବିଜେପି ବିଧାୟକ ଅଶୋକ ମହାନ୍ତି ସୁଭଦ୍ରା ଟଙ୍କା କୋଟିଆ ମହିଳାଙ୍କୁ ନମିଳିବାରେ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । କୋଟିଆକୁ ଆନ୍ଧ୍ରକୁ ଟେକି ଦେବାକୁ ଓଡ଼ିଶା ସରକାରଙ୍କ ଏହା ଷଡ଼ଯନ୍ତ୍ର କି ବୋଲି ଏବେ ପ୍ରଶ୍ନ ଉଠିଲାଣି । ଯାହାକୁ ବିରୋଧୀ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବେ ବୋଲି କହିଲେଣି ।