କୃଷି ଆଇନ ବିରୋଧରେ କଂଗ୍ରେସର କସରତ: ୨ କୋଟି ଦସ୍ତଖତ ପାଇଁ ଦେଶବ୍ୟାପୀ ଅଭିଯାନ….

ଭୁବନେଶ୍ୱର : ନୂଆ କୃଷି ଆଇନକୁ ନେଇ ବିରୋଧ ସାରା ଦେଶରେ ତୀବ୍ର ରୂପ ନେଇଛି । ଆଇନ ଆସିବା ଦ୍ୱାରା ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବ ବୋଲି କହୁଛି । ସଂସଦରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ସମାନ ଆରୋପ ଲଗାଇଥିଲା  । ମାତ୍ର ସଂଖ୍ୟାବଳର ବାହାଦୂରୀରେ ସରକାର ଆଇନ ପାସ କଲେ । ବିଲ୍ ସିନା ଆଇନରେ ପରିଣତ ହେଲା ହେଲେ ଚାଷୀ ନଛୋଡବନ୍ଧ ।

ସ୍ପଷ୍ଟ ଶଦ୍ଦରେ ଗୋଟିଏ ଦାବି ଉଠୁଛି । ସରକାରୀ ମଣ୍ଡି ହେଉ କିମ୍ୱା ବେସରକାରୀ ଯୋଗାଡ଼, ଚାଷୀକୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ । ଏହିକ୍ରମରେ ରାଜ୍ୟ କଂଗ୍ରେସ ମଧ୍ୟ ରାଜ୍ୟବ୍ୟାପୀ ବିରୋଧ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ କଂଗ୍ରେସର ପ୍ରତି ଜୋନସ୍ତରରେ ବିକ୍ଷୋଭ ହେବା ସହ ବ୍ଲକ୍ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏସମ୍ୱନ୍ଧୀୟ ସୂଚନା ଦେଇ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଆଇନ ଚାଷୀ ସ୍ୱାର୍ଥବିରୋଧୀ ଅଟେ ।

ଏହାର ପ୍ରତିବାଦରେ ଆମେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବୁ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି । ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ମତ ନେବୁ । ବିଲ ସମ୍ପର୍କରେ ସାଧାରଣର ମତ କଣ ତାହା ଜାଣିବାକୁ ଚେଷ୍ଟା କରିବୁ । ବିଲ୍ ଚାଷୀ ବିରୋଧୀ ହୋଇଥିବା ହେତୁ ଅଧିକ ସଂଖ୍ୟକ ଚାଷୀ ପରିବାର ପାଖରେ ପହଞ୍ଚିବୁ । ସାରା ଦେଶରେ ୨ କୋଟି ମତ ନେବା ପାଇଁ ଲକ୍ଷ୍ୟ ରଖିଛୁ ।  ଏହା ପରେ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଦୀପ କହିଛନ୍ତି ।

Leave a Reply