ନେତା ବାଛିବାକୁ କଂଗ୍ରେସର କସରତ: ମାସକ ମଧ୍ୟରେ ସରିବ ଚୟନ ପ୍ରକ୍ରିୟା

ନେତା ବାଛିବାକୁ ଜିଲ୍ଲାରେ କଂଗ୍ରେସର କସରତ । ସଙ୍ଗଠନ ସୃଜନ ଜରିଆରେ ମତ ସଂଗ୍ରହ କରୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ମାସକ ମଧ୍ୟରେ ସରିବ ଚୟନ ପ୍ରକ୍ରିୟା । କ୍ଷମତାଶାଳୀ ହେବେ ଜିଲ୍ଲା ସଭାପତି । ଜିଲ୍ଲା ସଭାପତି ପାଇଁ ଜୋରଦାର କସରତ ଆରମ୍ଭ କଲା କଂଗ୍ରେସ । ସଂଗଠନ ସୃଜନ ଅଭିଯାନ ଜରିଆରେ କ୍ଷେତ୍ରରୁ ନେତା ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଦଳ। ଏଆଇସିସିର ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ୩୫ଟି ସାଙ୍ଗଠନିକ ଜିଲ୍ଲାକୁ ଗସ୍ତ କରିଛନ୍ତି ପର୍ଯ୍ୟବେକ୍ଷକ। ଜଣେ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋଟିଏ ଜିଲ୍ଲାରେ ୭ ଦିନ ରହିବେ। ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଲୋକଙ୍କ ମତାମତ ନେଇ ନେତା ବାଛିବେ। ୧୫ ତାରିଖ ଭିତରେ ଏଆଇସିସିକୁ ରିପୋର୍ଟ ଦେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ପ୍ରତି ଜିଲାରୁ ୬ ଜଣ ନେତାଙ୍କ ନାଁ ଏଆଇସିସିକୁ ପଠାଯିବ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଜିଲ୍ଲା ସଭାପତି ହେବେ, ଯଦି ସେମାନେ ୩ ମାସ ମଧ୍ୟରେ ଭଲ କାର୍ଯ୍ୟଦକ୍ଷତା ନଦେଖାନ୍ତି, ସେମାନେ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି। ନିରପକ୍ଷ ଓ ଶକ୍ତିଶାଳୀ ଜିଲ୍ଲା ସଭାପତି ବାଛିବାକୁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ସଙ୍ଗଠନ ସୃଜନ ଅଭିଯାନ।
ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ମାସକ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ କଂଗ୍ରେସ । ଜିଲ୍ଲା ଓ ବ୍ଲକସ୍ତରରେ ଦଳକୁ ଅଧିକ ମଜଭୁତ କରିବାକୁ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶ ଥିବାରୁ କସରତକୁ ଜୋରଦାର କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ। ଜିଲ୍ଲା ସଭାପତିଙ୍କୁ ଅଧିକ କ୍ଷମତାଶାଳୀ କରିବା ପାଇଁ ଏଥର ନୂଆ ନିୟମରେ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରୁଛି। ୨୦୨୯ରେ ଉଭୟ ବିଧାୟକ ଓ ସାଂସଦ ଟିକେଟ ପାଇଁ ଜିଲ୍ଲା ସଭାପତିଙ୍କ ମତକୁ ଗୁରୁତ୍ବ ଦେବ ଦଳ। ଏଣିକି ଲବି ନୁହେଁ, ଦକ୍ଷତା ଦେଖି ଜିଲ୍ଲା ସଭାପତି ଚୟନ କରିବାକୁ ଏଆଇସିସି ଯୋଜନା କରୁଛି। କିନ୍ତୁ ଗ୍ରାଉଣ୍ଡରେ ନେତାଙ୍କ ପତିଆରା ଲଢ଼େଇ ଜିଲ୍ଲା ସଭାପତି ଚୟନରେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି।