ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରିନେତ ଓ ବିଜେପି ସାଂସଦ ଦିଲୀପ ଘୋଷ

1 min read

ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରିନେତ ଓ ବିଜେପି ସାଂସଦ ଦିଲୀପ ଘୋଷ । ଆଜି ନିର୍ବାଚନ କମିଶନଙ୍କ ନିକଟରେ ଉତ୍ତର ରଖିବେ ଉଭୟ ସୁପ୍ରିୟା ଓ ଦିଲୀପ । ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ଯ ପ୍ରସଙ୍ଗରେ ସୁପ୍ରିୟାଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ କମିଶନ । ସେହିପରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଦିଲୀପଙ୍କୁ ନୋଟିସ ଜାରି କରିଥିଲେ ଇସି । କଙ୍ଗନାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଇ ତାହାକୁ ହଟାଇ ନେଇଥିଲେ ସୁପ୍ରିୟା । ଏହାକୁ ନେଇ ରାଜନୈିତିକ ସ୍ତରରେ ହଲଚଲ ସୃଷ୍ଟି ହୋଇଥିଲା । ପ୍ରତିବାଦ ହେବା ପରେ ସୁପ୍ରିୟା କହିଥିଲେ- ତାଙ୍କ ଆକାଉଣ୍ଟରେ ଅନ୍ୟ କେହି ଅରୁଚିକର ମନ୍ତବ୍ୟ ପୋଷ୍ଟ କରିଛନ୍ତି । ସେପଟେ ମମତାଙ୍କ ସମ୍ପର୍କରେ ଦିଲୀପ ବ୍ଯକ୍ତିଗତ ଆକ୍ଷେପ କରିଥିଲେ। ଏପରି ଆଚରଣ ଲାଗି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିୟାଙ୍କୁ ପ୍ରଶ୍ନ କରିଥିଲେ ଇସି। ଆଜି ଅର୍ଥାତ ମାର୍ଚ୍ଚ ୨୯ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇସି । ସେହିପରି ମାର୍ଚ୍ଚ ୨୯ ଅପରାହ୍ଣ ୫ଟା ସୁଦ୍ଧା ନିଜ ଉତ୍ତର ରଖିବାକୁ ଦିଲୀପଙ୍କୁ ଇସି ନିର୍ଦ୍ଦେଶ ଦେଇଥିଲେ । ସେପଟେ ଅରୁଚିକର ମନ୍ତବ୍ୟ ବିବାଦ କାରଣରୁ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି କଂଗ୍ରେସ । ଗତ ୨୦୨୯ରେ ସେ ଉତ୍ତର ପ୍ରଦେଶ ମହାରାଜଗଞ୍ଜରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ ବି ତାଙ୍କୁ ଏଥର ଟିକେଟ ଦେଇନି ଦଳ । ସେଠାରୁ ବୀରେନ୍ଦ୍ର ଚୌଧୁରୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।