ମାର୍ଗରେଟ ଆଲଭା ହେବେ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଶରଦ ପୱାରଙ୍କ ଘୋଷଣା

ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ ମିଳିତ ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗରେଟ ଆଲଭାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିରୋଧୀ । ୮୦ ବର୍ଷୀୟା ଅଲଭାଙ୍କ ଜନ୍ମସ୍ଥାନ କର୍ଣ୍ଣାଟକର ମାଙ୍ଗାଲୋରରେ । ପୂର୍ବରୁ ଗୁଜୁରାଟ ରାଜ୍ୟପାଳ ସେ ରହିସାରିଛନ୍ତି । ଏନସିପି ନେତା ଶରଦ ପୱାରଙ୍କ ଘରେ ହୋଇଥିବା ବିରୋଧୀଙ୍କ ବୈଠକରେ ମିଳିତ ସହମତି ହୋଇଥିଲା । ଏହାପରେ ଶରଦ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଏନଡିଏ ପକ୍ଷରୁ ଗତକାଲି ଜଗଦୀପ ଧନଖଡ଼ଙ୍କ ନାଁ ଘୋଷଣା ହୋଇଥିଲା । ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି ।

ତେବେ ଏବେ କଂଗ୍ରେସ ନେତ୍ରୀ ମାର୍ଗରେଟ ଏବଂ ଧନଖଡଙ୍କ ମଧ୍ୟରେ ଆଗାମୀ ମାସ ୬ ତାରିଖରେ ମୁକାବିଲା ହେବ । ଆସନ୍ତା ୧୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସୂଚନା ଥାଉକି ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପରାଷ୍ଟ୍ରପତି ଭଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଭୋଟ ଦିଅନ୍ତି  । ଏକାକି ବିଜେପି ପାଖରେ ବିଜୟ ଠାରୁ ଅଧିକ ସାଂସଦ ରହିଛନ୍ତି  । ଏପରି ସ୍ଥିତିରେ ଏନଡିଏ ଏକପାଖିଆ ନିର୍ବାଚନ ଜିତିବାର ଆଶଙ୍କା କରାଯାଉଛି ।