କର୍ଣ୍ଣାଟକ ବ୍ୟାଟେଲ୍‌: ମହିଳାଙ୍କୁ ୨ ହଜାର ବେକାରୀ ଯୁବକଙ୍କୁ ୩ ହଜାର ଦେବ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ୮ଦିନ ପୂର୍ବରୁ ସଂକଳ୍ପ ପତ୍ର ଜାରି କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରାଯାଇଛି । ଇସ୍ତାହାରରେ ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କୁ ଫୋକସ କରିଛି ଦଳ । ରାଜ୍ୟ ପରିବହନ ଯାନରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା ଦିଆଯିବ । ନୂଆ ଶିକ୍ଷା ନୀତିକୁ ରଦ୍ଦ କରି ରାଜ୍ୟ ଶିକ୍ଷା ନୀତି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କନ୍ନଡ ଓ ସଂସ୍କୃତ ଭାଷାର ବିକାଶକୁ ଗୁରୁତ୍ବ ଦିଆଯିବ । ସଂରକ୍ଷଣ ସୀମା ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯିବ । ପରିବାରର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ମାସିକ ୨ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ଏହାଛଡ଼ା ବେରୋଜଗାର ଥିବା ସ୍ନାତକ ଡିଗ୍ରୀ ଧାରୀ ଯୁବକଙ୍କୁ ୨ ବର୍ଷ ଯାଏଁ ମାସିକ ୩ହଜାର ଟଙ୍କା ଲେଖାଏଁ ଭତ୍ତା ଆକାରରେ ଦିଆଯିବ । ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ମାସିକ ମିଳିବ ଦେଢ଼ ହଜାର ଟଙ୍କା ।

ସମାଜରେ ଘୃଣା ସୃଷ୍ଟିକାରୀ ସଂଗଠନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନକୁ କର୍ଣ୍ଣାଟକରେ ବ୍ୟାନ କରାଯିବ ବୋଲି ନିର୍ବାଚନୀ ଇସ୍ତାହାର ରିଲିଜ ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ରାତିରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ମାସିତ ୫ହଜାର ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହାଛଡ଼ା କଂଗ୍ରେସ ସରକାର ଗଠନ କରିବାର ଗୋଟିଏ ବର୍ଷ ଭିତରେ ବିଜେପି ସରକାର ଦ୍ବାରା ପାରିତ ହୋଇଥିବା ସମସ୍ତ ଜନବିରୋଧୀ ଆଇନକୁ ରଦ୍ଦ କରିଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।

ଗୃହ ଜ୍ୟୋତି ଯୋଜନାରେ ୨ଶହ ୟୁନିଟ ବିଜୁଳି ମାଗଣାରେ ଦିଆଯିବ । ଏହାଛଡ଼ା ଦୁଗ୍ଧ ଚାଷୀଙ୍କ ପାଇଁ ସବସିଡିକୁ ୫ଟଙ୍କାରୁ ୭ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ । କଂଗ୍ରେସ ସଂକଳ୍ପ ପତ୍ର ଉନ୍ମୋଚନ ବେଳେ ଦଳର ଅଧ୍ୟକ୍ଷ ଖଡଗେ, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ଉପସ୍ଥିତ ଥିଲେ ।