ବିରୋଧୀଙ୍କ ସ୍ବରକୁ ଚପାଇ ଦେବାକୁ ଉଦ୍ୟମ, ଗୃହରେ ହୁଇସିଲ ମାରି ସରକାରଙ୍କୁ ବିରୋଧ

ଭୁବନେଶ୍ବର: ମହିଳା ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କଲା କଂଗ୍ରେସ । ମହିଳାଙ୍କ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ କଂଗ୍ରେସ ଯେଉଁ ଆଭିମୁଖ୍ୟ ପୋଷଣ କରିଛି, ତାକୁ ରାଜ୍ୟର ବିଜେପି ସରକାର ବିଧାନସଭାରେ ପ୍ରତିହତ କରିବାକୁ ଉଦ୍ୟମ କରୁଛି । ବିଧାନସଭାରେ ବିଜେପି ବିଧାୟକଙ୍କ ଗୁଣ୍ଡାଗିରିକୁ ପ୍ରଶ୍ରୟ ଦିଆଯିବା ସହ ବିରୋଧୀଙ୍କ କଥାକୁ ଲୋକଲୋଚନକୁ ଅଣାଯାଉନାହିଁ । ଯାହାକୁ ନେଇ କଂଗ୍ରେସ ବିଧାୟକ ଗୃହରେ ହୁଇସିଲ ଫୁଙ୍କି ଅଭିନବ ଢଙ୍ଗରେ ବିରୋଧ କରିବା ସହ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବିଧାନସଭା ଭିତରେ ହୁଇସିଲ ମାରି ଓ କଳାପଟି ବାନ୍ଧି ପ୍ରତିବାଦ । ବିଜେପିର ମନମାନି ଓ ଗଣତନ୍ତ୍ରକୁ ହତ୍ୟା ବିରୋଧରେ ଗର୍ଜନ । ରାଜ୍ୟରେ ବଢ଼ି ଚାଲିଛି ମହିଳା ବିରୋଧୀ ହିଂସା । ସରକାରଙ୍କ ନୀରବତାକୁ ନେଇ ଲଢ଼େଇ ଜାରି ରଖିଥିବା କଂଗ୍ରେସ ଏବେ ଆଉ ପାଦେ ଆଗକୁ ବଢିଛି । ଦୀର୍ଘ ଦିନ ହେଲା ବିଧାନସଭା ଭିତରେ ନାରୀ ସୁରକ୍ଷା, ଛାତ୍ରୀ ନିର୍ଯାତନା ପ୍ରସଙ୍ଗ ଉଠାଯାଉଥିଲା । ହେଲେ ସରକାର ଶୁଣିବା ବଦଳରେ ଆପଣାଇଛନ୍ତି ଦମନ ନୀତି । ୯ ମାସର ବିଜେପି ସରକାରରେ ପ୍ରତିଦିନ ନିର୍ଯାତିତ ହେଉଛନ୍ତି ରାଜ୍ୟର ମାଆ, ଭଉଣୀ। ଏହି ପ୍ରସଙ୍ଗ ଉଠାଇବାରୁ ବିଧାୟକ ତାରା ବାହିନୀପତିଙ୍କୁ ଅନ୍ୟାୟ ଭାବେ ସସପେଣ୍ଡ କରାଗଲା । ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ସଦସ୍ୟ ଗୃହରେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଦିଆଯାଉଛି ଶାସ୍ତି । ଶାସକ ଦଳର ଦାୟିତ୍ୱ ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହକୁ ସୁପରିଚାଳନା କରିବା । କିନ୍ତୁ ସରକାର ତାହା କରୁନାହାନ୍ତି। ତେଣୁ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛି କଂଗ୍ରେସ । ଗୃହ କମିଟି ଗଠନ ନହେବା ଯାଏଁ ବିରୋଧ ଜାରି ରହିବ । ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ସରକାରଙ୍କ ମନମୁଖି କାର୍ଯ୍ୟକୁ ନେଇ ବିଧାନସଭାରେ ଜାରି ରହିଛି କଂଗ୍ରେସ ସଦସ୍ୟଙ୍କ ବିରୋଧ । ଗୃହ ଭିତରେ ଓ ବାହାରେ କଂଗ୍ରେସ ସଦସ୍ୟ ହୁଇସିଲ ମାରି ଶାସକ ଦଳକୁ ଜାଗ୍ରତ କରିବାକୁ ଉଦ୍ୟମ କରିଛନ୍ତି । ଜୟ ନାରାୟଣ ମିଶ୍ର କଲର ଧରିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମାର ମାର କହିବା ସହ ଅସଭ୍ୟ ଭାଷା କହିଲେ । ବାଚସ୍ପତିଙ୍କୁ ରାମଚନ୍ଦ୍ର କାଡାମ ଲେଖିକି ଦେଲେ । କିନ୍ତୁ ଦୋଷୀଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ । ଦୋଷ ଧରାପଡ଼ିଗଲା ବୋଲି ବିଧାନସଭା ଭିତର କଥା ଆଉ ଦେଖାଇବାକୁ ଚାହୁଁନି ବିଜେପି । ଯାହାକୁ ନେଇ ଶାସକ ଦଳ ସମେତ ବାଚସ୍ପତିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ମହିଳା ନିର୍ଯାତନା ପ୍ରସଙ୍ଗରେ ସ୍ବତନ୍ତ୍ର ଆଇନ ଆଣିବା ସହ ମାମଲାର ଫଇସଲା କରିବାକୁ ଦାବି କରିଛି ଦଳ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ପରେ ସେହି ଚିରାଚରିତ ଢଙ୍ଗରେ ଉତ୍ତର ରଖିଛି ବିଜେପି । ବିରୋଧୀ ଦଳରେ ଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ତତକାଳୀନ ସରକାରଙ୍କୁ ଘେରୁଥିଲା । କିନ୍ତୁ ଏବେ କ୍ଷମତାକୁ ଆସିବା ପରେ ନାରୀ ନିର୍ଯାତନା ଘଟଣାକୁ ଅଣଦେଖା କରିବା ସହ କ୍ଷମତା ବଳରେ ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।