ଇଡି କାର୍ଯ୍ୟାଳୟରେ ସୋନିଆ, କଂଗ୍ରେସର ପ୍ରତିବାଦ

ନୂଆଦିଲ୍ଲୀ: ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପଚରା ଉଚରା କରିବ । ତାଙ୍କ ସହ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି । ଅବଶ୍ୟ ଦୁଇ ଜଣଙ୍କୁ ଆଜି ପଚରା ଉଚରା କରିବନି । ଏମାନେ କେବଳ ମା’ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଯାଇଛନ୍ତି ।

ପଚରାଉଚରା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କଂର୍ମୀ ଓ ନେତା ବିରୋଧ କରୁଛନ୍ତି । ସଡକରୁ ସଂସଦ ସବୁଠୁ ବିରୋଧ କରାଯାଇଛି । କଂଗ୍ରେସ ମୁଖ୍ୟାଳୟ, ସଂସଦ ଭବନ, ଦିଲ୍ଲୀ ରାଜରାସ୍ତା ଏବଂ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । କଂଗ୍ରେସ କହିଛି ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଚାପିବା ପାଇଁ କେନ୍ଦ୍ର ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରୁଛି ।

ଆଇନଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଛି । ଅନେକ ସ୍ଥାନରେ ପୋଲିସ ଓ କଂଗ୍ରେସକର୍ମୀ ମଧ୍ୟରେ ଧସ୍ତା ଧସ୍ତି ଦୃଶ୍ୟ ମଧ୍ୟ ଦେଖାଯାଇଛି । ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରାଯାଇଛି । କଂଗ୍ରେସ ହେଡକ୍ବାର୍ଟର୍ସ, ସୋନିଆ ଗାନ୍ଧୀଙ୍କ ବାସଭବନ ଓ ଇଡି ଅଫିସ ଆଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପଟେ ୧୩ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେଇଛନ୍ତି । ପ୍ରସଙ୍ଗ ଥିଲା କେନ୍ଦ୍ର ସରକାରଙ୍କ ପ୍ରତିଶୋଧର ରାଜନୀତି ।

ବିରୋଧୀମାନେ ଅଭିଯୋଗ କରିଛନ୍ତି ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ହଇରାଣ କରୁଛନ୍ତି । ତେବେ ଏହି ବୈଠକରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆଏସ ମଧ୍ୟ ସାମିଲ ଥିଲା । ପୂର୍ବରୁ ଟିଆରଏସ କଂଗ୍ରେସଠାରୁ ଦୂରତା ଅବଲମ୍ବନ କରୁଥିଲା । ସଂସଦ ଅଧିବେଶନକୁ ମଧ୍ୟ କଂଗ୍ରେସ ସମେତ ବିରୋଧ ଦଳ ପ୍ରତ୍ୟାଖ୍ୟାନ କରି ସୋନିଆଙ୍କ ପଚରାଉଚରାକୁ ବିରୋଧ କରାଯାଇଛି ।