spot_img

Latest Posts

ଅଟକିଲା ସାରା ଓଡ଼ିଶା, ଦୋକାନ ବଜାର ବନ୍ଦ, ଗଡିଲାନି ଚକ ଅଖ

ନନ୍ଦିଘୋଷ ବ୍ୟୁରୋ : ଟ୍ରେନ ଠୁ ଆରମ୍ଭ କରି ବସ। ଘରୋଇ ଗାଡି ଠୁ ଆରମ୍ଭ କରି ଯାନବାହନ। ଚକ ଅଖ ସବୁ ଠପ। ଜାତୀୟ ରାଜପଥରେ ଗାଡ଼ିର ଲମ୍ବା ଲାଇନ୍। ଦୋକାନ ବଜାର, କାର୍ଯ୍ୟାଳୟ ସବୁ ବନ୍ଦ। ବାଲେଶ୍ବର ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସାରା ଓଡ଼ିଶା ବନ୍ଦ କରିଛି କଂଗ୍ରେସ। ଚାରିଆଡେ ପିକେଟିଂ ସାଙ୍ଗକୁ ରାସ୍ତାରୋକ। ନାରବାଜିରେ କମ୍ପିଲା ରାଜପଥ। ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ପ୍ରମୁଖ ସ୍ଥାନ, ଛକ ଓ ରାସ୍ତାରେ ଟାୟାର ଜାଳି କରିଥିଲେ ରାସ୍ତା ଅବରୋଧ। ଯେଉଁ କିଛି ଗାଡି ସବୁ ଚଳାଚଳ କରୁଥିଲା ତାକୁ ଅଟକାଇଲେ। କଂଗ୍ରେସ ସମେତ ବାମପନ୍ଥୀ ଓ ଅନ୍ୟ ଦଳର ନେତା ଓ କର୍ମୀ ବି କରିଥିଲେ ଜୋରଦାର ପ୍ରତିବାଦ। ହିଂସାତ୍ମକ ଉପାୟରେ ନୁହେଁ ବରଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଲୋକଙ୍କୁ ବୁଝାଇ ଗାଡି ଫେରାଇବା ସହ ଆନ୍ଦୋଳନକୁ ସମର୍ଥନ କରିବାକୁ ଦେଇଥିଲେ ଆହ୍ୱାନ। ରାସ୍ତାରୋକ ସମୟରେ କିଛି କିଛି ସ୍ଥାନରେ ହୋଇଥିଲା ଯୁକ୍ତିତର୍କ।

ଓଡ଼ିଶା ବନ୍ଦ ପାଇଁ ପ୍ରମୁଖ ସହର ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲେ କଂଗ୍ରେସ ଓ ଅନ୍ୟ ଦଳର ନେତା। କିଛି ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବିଶାଳ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ। କଂଗ୍ରେସ ସହ ଅନ୍ୟ ଦଳର ନେତା ଓ କାର୍ଯ୍ୟକର୍ତ୍ତା ବିଧାନସଭା ଆଡ଼କୁ ଧସେଇ ପଶିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି। ରାଜ୍ୟରେ ନାରୀ ଅସୁରକ୍ଷିତ ଥିବା ବେଳେ, ସରକାରଙ୍କ ଆଭିମୁଖ୍ୟକୁ କରାଯାଇଛି କଡା ସମାଲୋଚନା। ଏତିକିରେ ସରିନି, ଆଗକୁ ଆନ୍ଦେଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ନେତା।

ଓଡିଶା ବନ୍ଦ ବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ଅଭିନବ ଢଙ୍ଗରେ କରାଯାଇଛି ପ୍ରତିବାଦ। କେଉଁଠି କଂଗ୍ରେସ ନେତାମାନେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଥିବା ବେଳେ, ଆଉ କିଛି ସ୍ଥାନରେ ଗାଡି ଆଗରେ ଶୋଇ ନାରାବାଜି ଦେଇଥିଲେ। ସାମାଜିକ ଅନୁଷ୍ଠାନ ଗୁଡିକ ମଧ୍ଯ ବନ୍ଦକୁ ଜଣାଇଥିଲେ ସମର୍ଥନ। ସରକାର ବଦଳିବା ପରେ ବଢୁଛି ମହିଳାଙ୍କ ବିରୋଧରେ ନିର୍ଯ୍ୟାତନା ଓ ବିଶ୍ବସ୍ତରରେ ନିନ୍ଦିତ ହେଉଛି ଓଡିଶା। ଯାହାକୁ ନେଇ ଏବେ ବ୍ୟାପକ ହେବାରେ ଲାଗିଛି ସରକାର ବିରୋଧୀ ସ୍ବର। ଏଭଳି ସ୍ଥିତିରେ କି ପଦକ୍ଷେପ ନେଉଛନ୍ତି ସରକାର, ତାଉପରେ ରହିଛି ସମସ୍ତଙ୍କ ନଜର।

Latest Posts

Don't Miss