ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର, କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଲାଠି ଚାର୍ଜ ଓ ପାଣି ମାଡ଼

ଭୁବନେଶ୍ବର ; କଂଗ୍ରେସର ବିଧାନସଭା ଘେରାଉ ବେଳେ ଲୋୟର ପିଏମଜି ହେଲା ରଣକ୍ଷେତ୍ର  । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଛି ।  ପୋଲିସ ଓ କଂଗ୍ରେସ କର୍ମୀ ଠେଲାପେଲା ମଧ୍ୟରେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ କଂଗ୍ରେସର ଚେଷ୍ଟା କରିଛି । ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଲାଠି ଚାର୍ଜ କରିଛି । ଲୋୟର ପିଏମଜିରେ ଚେୟାର ଉଡିବା ସହ ବୋତଲ ଓ ଟେକା ମାଡ଼ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀଙ୍କ ଉପରେ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍  ପୋଲିସ ପକ୍ଷରୁ ପ୍ରୟୋଗ କରାଯାଇଛି । ଫଳରେ ଲୋୟର ପିଏମଜିରେ ପ୍ରବଳ ଉତ୍ତେଜନା ଲାଗିରହିଛି ।

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରୁଛି କଂଗ୍ରେସ। ରାମ ମନ୍ଦିର ନିକଟରୁ ହଜାର ହଜାର କର୍ମୀଙ୍କୁ ନେଇ ବିଧାନସଭା ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଥିଲା । ଶୋଭାଯାତ୍ରାର ଆଗରେ ରହିଛନ୍ତି ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିଛନ୍ତି। ଏହି ପଦଯାତ୍ରା ଲୋୟର ପିଏମଜିରେ ପହଞ୍ଚିବା ପରେ ବିଧାନସଭା ସମ୍ମୁଖରେ ବିଶାଳ ସମାବେଶ ହୋଇଛି ।  ତେବେ ବାହାର ଜିଲ୍ଲାରୁ ହଜାର ହଜାର କର୍ମୀ ଭୁବନେଶ୍ଵର ଆସିବା ବେଳେ କେତେକ ସ୍ଥାନରେ ସେମାନଙ୍କୁ ପୋଲିସ ଅଟକାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।