ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା କଂଗ୍ରେସ,

ଭୁବନେଶ୍ୱର : ଚାରି ଦ୍ବାର ଖୋଲିଲା ହେଲେ ଶ୍ରଦ୍ଧାଳୁ ଠିକ ସେ ଦର୍ଶନ କରିପାରୁନାହାଁନ୍ତି । ରତ୍ନ ଭଣ୍ଡାରର ଶୀଘ୍ର ଗଣତି ମଣତି ହେଉ । ଏଏସଓଙ୍କୁ ମାଡ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? ଏପରି ଏକାଧିକ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଘେରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କଥା ଉଠାଇ କହିଛନ୍ତି ଯେ, ଚାରି ଦ୍ବାର ଖୋଲିଲା ହେଲେ ଲୋକେ ହଇରାଣ ହରକତ ହେଉଛନ୍ତି । ଦର୍ଶନ ଶୃଙ୍ଖଳିତ ହେଇପାରୁନି ।

ସେହିପରି ଶୀଘ୍ର ଗଣତି ମଣତି ପାଇଁ ଶରତ ଦାବି କରିଛନ୍ତି । ଆଡପ ପହଣ୍ଡି ବେଳେ ବଳଭଦ୍ର ମୁହଁମାଡି ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନକୁ ଏଥିପାଇଁ ଦାୟୀ କରିଛନ୍ତି । ଘଟଣାର ଅବସର ପ୍ରାପ୍ତ ଜଜଙ୍କ ଦ୍ୱାରା ତଦନ୍ତ କରି ରିପୋର୍ଟ ମଗାଯାଉ ବୋଲି ଶରତ ଦାବି କରିଛନ୍ତି । ଅନ୍ଯ ଏକ ପ୍ରସଙ୍ଗରେ ମାଡ ଖାଇଥିବା ଏଏସଓଙ୍କୁ ବଦଳିର ଦୃଢ ପ୍ରତିବାଦ କରିଛନ୍ତି ଶରତ । ଜଣେ ମାଡ଼ ଖାଇବ ଆଉ ସେ ହିଁ ଦଣ୍ଡ ପାଇବ ? ଓଡ଼ିଆ ଅସ୍ମିତା କଥା ମୁଖ୍ଯମନ୍ତ୍ରୀ କହୁଛନ୍ତି । ଏବେ ବାହାର ଲୋକ ଆସି ଓଡ଼ିଆଙ୍କୁ ବାଡେ଼ଇଲେଣି । କାହିଁକି ସରକାର ଚୁପ ? ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶରତଙ୍କ ସମେତ ଦଳର ଅନ୍ଯ ପ୍ରମୁଖ ନେତାମାନେ ଦାବି କରିଛନ୍ତି ।