ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖି କଂଗ୍ରେସ କ୍ଷମତା ହାସଲ ପାଇଁ ପ୍ରସ୍ତୁତ କରିଛି ରଣନୀତି

ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖି କଂଗ୍ରେସ କ୍ଷମତା ହାସଲ ପାଇଁ ପ୍ରସ୍ତୁତ କରିଛି ରଣନୀତି। ଜିଲ୍ଲା ସ୍ତରରେ ନେତୃତ୍ୱକୁ ଖୋଦ ଦଳର ତୃଣମୂଳସ୍ତରର କର୍ମୀ, ନେତା, ସାମାଜିକ ସଂଗଠନ ତଥା ସାଧାରଣ ଲୋକଙ୍କ ମତ ନେଇ ଚୟନ କରିବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଏଆଇସିସି ପର୍ଯ୍ୟବେକ୍ଷକ ମାନେ ପିସିସି ପର୍ଯ୍ୟବେକ୍ଷକଙ୍କ ସହାୟତାରେ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରକୁ ଯାଇ ସମସ୍ତଙ୍କ ମତାମତ ନେଇ ଜିଲ୍ଲା ସଭାପତି ଓ ଅନ୍ୟ ନେତୃତ୍ୱକୁ ଚୟନ କରିବେ। ସେଥିପାଇଁ ଆସନ୍ତା ୩୧ ତାରିଖରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ପାଇଁ ଚୟନ ହୋଇଥିବା ଏଆଇସିସି ପର୍ଯ୍ୟବେକ୍ଷକ ମାନେ ଓଡିଶା ଆସିବେ। ଯାହାକୁ ଯେଉଁ ଜିଲ୍ଲା ଦାୟିତ୍ଵ ଦିଆଯାଇଛି ସେମାନେ ନିଯୁକ୍ତି ପିସିସି ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲା ଗସ୍ତ କରିବେ। ଦଳୀୟ ନେତା, କର୍ମୀ ତଥା ସାମାଜିକ ସଂଗଠନ ଓ ଜନତାଙ୍କ ସହ ଆଲୋଚନା କରି ଜିଲ୍ଲା ସ୍ତରର ନେତୃତ୍ୱ ଚୟନ କରିବେ। ସେଥିପାଇଁ ଦଳ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇଛି। ଓଡିଶା ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ କିଭଳି ସଠିକ ରୂପ ଦିଆଯିବ ସେ ନେଇ ହୋଇଛି ଆଲୋଚନା।

ପୂର୍ବ ଢାଞ୍ଚା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କାର୍ଯ୍ୟ ଆରମ୍ଭ କରିଛି କଂଗ୍ରେସ।ଏହି ଢାଞ୍ଚାରେ ଦେଶର ୩ରୁ ୪ଟି ରାଜ୍ୟରେ କାମ କରି ଦଳ ସଫଳ ହୋଇଥିବାରୁ ଓଡ଼ିଶାରେ ଏହି ଶୈଳୀରେ କାମ ଆରମ୍ଭ ହୋଇଥିବା କୁହାଯାଉଛି। ଶୀର୍ଷ ନେତୃତ୍ୱଙ୍କ ଇଚ୍ଛାରେ ଆଉ ଜିଲ୍ଲା ଓ ବ୍ଲକସ୍ତରର ନେତୃତ୍ୱ ଚୟନ ହେବେନାହିଁ। ପ୍ରତିଭା, ସାମର୍ଥ୍ୟ ଓ ଲୋକପ୍ରିୟତା ଆଧାରରେ ଜିଲ୍ଲା ନେତୃତ୍ୱ ଚୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।ଦଳର ୩୫ ସାଙ୍ଗଠନିକ ଜିଲ୍ଲା ପାଇଁ ନିଯୁକ୍ତ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହାୟତା କରିବେ ପ୍ରତି ଜିଲ୍ଲା ପାଇଁ ପିସିସିର ତିନି ଜଣ ପର୍ଯ୍ୟବେକ୍ଷକ। ଏହି କାର୍ଯ୍ୟ ପାଇଁ ସୃଷ୍ଟି ହୋଇଥିବା ସୃଜନ କମିଟି ସମସ୍ତ ପ୍ରକ୍ରିୟାର ତଦାରଖ କରିବେ। ୧୫ ରୁ ୨୦ ଦିନ ମଧ୍ୟରେ ଏ ସମସ୍ତ ପ୍ରକ୍ରିୟା ଶେଷ କରି ଏଆଇସିସିକୁ ରିପୋର୍ଟ ଦିଆଯିବାର ଯୋଜନା ରହିଛି।