ସଂଗଠନ ସଜାଡ଼ିବାକୁ କଂଗ୍ରେସର ନୂଆ ଷ୍ଟ୍ରାଟେଜି

ନନ୍ଦିଘୋଷ ବ୍ୟୁରୋ: ଅସଜଡା କଂଗ୍ରେସ ସଂଗଠନକୁ ସଜାଡିବାର ମଙ୍ଗ ଧରିବେ ବିଧାୟକମାନେ। ନିଜ ନିର୍ବାଚନୀ ମଣ୍ଡଳୀ ସହ ୨ଟି ଜିଲ୍ଳାରେ ସଂଗଠନର ଦାୟିତ୍ବରେ ରହିବେ  ବିଧାୟକମାନେ। ପିସିସି ଓ ବିଧାୟକ ଦଳ ମଧ୍ୟରେ ସମନ୍ନୟ ବୈଠକ ମାନସମନ୍ଥନ ପରେ ଏପରି ଗୁରୁଦାୟିତ୍ବ ବିଧାୟକମାନଙ୍କୁ ଦେଇଛି ଦଳ। କଂଗ୍ରେସକୁ ମଜବୁତ କରିବାକୁ ପିସିସିର  ଏପରି ନିଷ୍ପତିକୁ ବିଧାୟକମାନେ ସ୍ବାଗତ କରିଛନ୍ତି । ଆଗକୁ ସଂଗଠନକୁକୁ ସଶକ୍ତ କରିବା ସହ ଜୋରଦାର ଲଢେଇ କରିବାକୁ ବିଧାୟକମାନେ ଅଣ୍ଟା ଭିଡ଼ିଛନ୍ତି । ଯାହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଚଳ ।

ମଜବୁତ ହେବ କଂଗ୍ରେସ । ବିଧାୟକ ଧରିବେ ମଙ୍ଗ। ଏଣିକି ନିର୍ବାଚିତ ବିଧାୟକମାନେ କେବଳ ନିଜ ନିର୍ବାଚନୀ ମଣ୍ଡଳୀରେ ସୀମିତ ରହିବେ ନାହିଁ । ନିଜ ନିର୍ବାଚନୀ ମଣ୍ଡଳୀ ସହ ୨ଟି ଜିଲ୍ଲାର ଦାୟିତ୍ବ ନେବେ ବିଧାୟକ।  ଓଡିଶାରେ କଂଗ୍ରେସ ସଂଗଠନକୁ  ତୃଣମୂଳସ୍ତରରୁ ସଶକ୍ତ କରିବାକୁ ଏପରି ନୂଆ ରଣନୀତି ଆପଣାଇଛି ଦଳ । ୧୪ ଜଣ ବିଧାୟକଙ୍ଗକ ସହ ପିସିସି ସଭାପତି ଓ ପ୍ରଭାରୀ ମିଳିତ ଓ ଓ୍ବାନ ଟୁ  ଓ୍ବାନ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ୪ଦିନ ଧରି କଂଗ୍ରେସ ଭବନରେ ସଂଗଠନ ବିଷୟରେ ସମୀକ୍ଷା କରିବା ପରେ ପିସିସିର ଏପରି ଦାୟିତ୍ବ ବଣ୍ଟନ ନିଷ୍ପତିକୁ ବିଧାୟକମାନେ ସ୍ବାଗତ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ପିସିସି ସଭାପତି ଯେଉଁ ନିର୍ଦ୍ଦେଶ ଦେବେ ତାହାକୁ ଆପେ ପାଳନ କରିବୁ । ୨୫ ବର୍ଷ ଧରି କ୍ଷମତାରୁ ବାହାରେ ରହିଛି କଂଗ୍ରେସ । ଲୋକଙ୍କ ବିଶ୍ବାସକୁ ଜିଣିବା ପାଇଁ  ବିଧାୟକମାନଙ୍କୁ ଦଳ ୨ଟି ଜିଲ୍ଳାର ଗୁରୁଦାୟିତ୍ବ ଦେଇଛନ୍ତି । ଯାହା ତୃଣମୂଳସ୍ତରେ ହାତକୁ ବଳ ଦେବ ।

କଂଗ୍ରେସର ୧୪ ଜଣ ବିଧାୟକ ୨୮ଟି ଜିଲ୍ଲାର ଦାୟିତ୍ବରେ ରହିବେ। ଲୋକଙ୍କ ସମସ୍ୟା ବୁଝିବା ସହ କଂଗ୍ରେସ ପ୍ରତି ବିଶ୍ବାସ ସୃଷ୍ଟି ହେବ । ବିଧାୟକମାନେ ପିସିସି ଓ ପ୍ରଭାରୀ ସହ ଆଲୋଚନା ସମୟରେ ଏ ଦିଗରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ତେଣୁ ନିଷ୍ପତି ଅନୁସାରେ ଗ୍ରାଉଣ୍ତରେ ବିଧାୟକମାନେ କାମ କରିବା ଆରମ୍ଭ କରିବାକୁ ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ କଂଗ୍ରେସର ପଦଯାତ୍ରା ପରେ ବହୁ ଲୋକ କଂଗ୍ରେସ ମୁହାଁ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟକ କହିଛନ୍ତି ।

୮ ମାସ ପରେ  ଓଡିଶା କଂଗ୍ରେସକୁ ସଭାପତି ଓ ପ୍ରଭାରୀ ମିଳିଛି । ହାତ ସଂଗଠନକୁ ସଂଞ୍ଜିବନୀ ଦେବା ପାଇଁ   ବିଧାୟକଙ୍କ ହାତରେ ସଂଗଠନର ମଙ୍ଗ ଧରାଇବ ଦଳ।  ଦଳର ଏପରି ରଣନୀତି ଜିଲ୍ଲାସ୍ତରରେ  ସଫଳ ହେଉଛି ଓ ଜିଲ୍ଳା ସଭାପତିମାନେ ଏଥୀରେ କେତେ ସହଯୋଗ କରୁଛନ୍ତି ତାହା ଦେଖିବାର କଥା ।