ଫିଲ୍ମ ‘ଆନିମଲ’କୁ ନେଇ ଆପତ୍ତି ଉଠାଇଲେ ସାଂସଦ ରଣଜିତ ରଂଜନ

ନୂଆଦିଲ୍ଲୀ: ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚା ଏବେ ଫିଲ୍ମ ହଲରୁ ଯାଇ ସଂସଦରେ ପହଞ୍ଚିଲାଣି । ଏହି ଫିଲ୍ମ ଉପରେ କଂଗ୍ରେସ ସାଂସଦ ରଣଜିତ ରଂଜନ ରାଜ୍ୟସଭାରେ ଆପତ୍ତି ଉଠାଇଛନ୍ତି। ଏହି ଚଳଚ୍ଚିତ୍ରର ହିଂସା ବିଷୟରେ ରଂଜନ କହିଛନ୍ତି ଯେ, ଏହା ଏପରି ଏକ ଫିଲ୍ମ ଯେଉଁ ଫିଲ୍ମ ଦେଖିବାବେଳେ ମୋ ଝିଅ କାନ୍ଦି କାନ୍ଦି ବାହାରକୁ ପଳାଇ ଯାଇଥିଲା । ଫିଲ୍ମ ହେଉଛି ସମାଜର ଦର୍ପଣ । ସମାଜରେ ବିଶେଷ କରି ଯୁବକମାନଙ୍କ ଉପରେ ଏହାର ବହୁତ ପ୍ରଭାବ ରହିଛି । କିନ୍ତୁ ଏହି ଚଳଚ୍ଚିତ୍ରରେ ଅନେକ ହିଂସା ଦେଖାଯାଇଛି ।
ରାଜ୍ୟସଭାରେ ରଂଜନ କହିଛନ୍ତି ଯେ, ସିନେମା ଦେଖି ଆମେ ବଡ ହୋଇଛୁ। ସିନେମା ସମାଜ ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଫିଲ୍ମରେ ଏପରି ସିନ ରଖାଯାଉଛି ଯାହାକୁ କହିହେବନି । ମୋ ଝିଅ ସହ ବହୁ ଝିଅ କଲେଜରେ ପଢ଼ନ୍ତି । ସେମାନେ ଅଧା ଫିଲ୍ମ ଦେଖି କାନ୍ଦି କାନ୍ଦି ବାହାରକୁ ଚାଲି ଆସିଲେ ।
ରଂଜନ ଗୃହରେ କହିଥିଲେ ଯେ ଏତେ ହିଂସା କାହିଁକି? ମହିଳାଙ୍କୁ ଅପମାନିତ କରିବା ପାଇଁ ଫିଲ୍ମର ସାହାରା ନେବା ଠିକ୍ ନୁହେଁ। ହିଂସା ଯୁବକମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ସ୍କୁଲ କଲେଜ ପିଲାମାନେ ହିରୋଙ୍କୁ ଆଦର୍ଶ ଭାବରେ ବିବେଚନା କରନ୍ତି । ଫିଲ୍ମରେ ନକାରାତ୍ମକ ଭୂମିକା ଉପସ୍ଥାପନ କରିବା ଦ୍ବାରା ସେମାନଙ୍କ ଉପରେ ପ୍ରଭାବ ପକାଉଛି ।