spot_img

Latest Posts

ଆଖିବନ୍ଦ କରି ଚାଲୁଛି କଂଗ୍ରେସ: ସୁସ୍ମିତା ଦେବଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କପିଲ ସିବଲ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍ । ସେ କହିଛନ୍ତି କଂଗ୍ରେସ ଏବେ ଆଖିବନ୍ଦ କରି ଚାଲୁଛି । କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ମହିଳା କଗ୍ରେସ ସଭାନେତ୍ରୀଙ୍କ ଇସ୍ତଫା ତଥା ପ୍ରାଥମିକ ସଦସ୍ୟ ପଦରୁ ଓହରି ଯିବା ପ୍ରସଙ୍ଗକୁ ନେଇ ଶ୍ରୀ ସିବଲ ଏହା କହିଛନ୍ତି ।

୨୦୧୯ ନିର୍ବାଚନ ବିପର୍ଯ୍ୟୟ ପରେ କଂଗ୍ରେସ ଜଣେ ପୂଣ୍ଣକାଳୀନ ସଭାପତିଙ୍କୁ ପାଇବାରେ ଅକ୍ଷମ ହେଉଛି ବୋଲି ସିବଲ୍ ପୂର୍ବରୁ ଅଭିଯୋଗ କରିଥିଲେ। କେବଳ ସେ ନୁହଁନ୍ତି କଂଗ୍ରେସର ଅନ୍ୟ ୨୨ ଜଣ ବରିଷ୍ଠ ନେତା ମଧ୍ୟ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ନିର୍ବାଚନ ମାଧ୍ୟମରେ ସଭାପତି ଚୟନ କରିବାକୁ ଅନୁରୋଧ କରି ପତ୍ର ଲେଖିଥିଲେ। ଏଯାଏ ତାହା କାର୍ଯ୍ୟକାରୀ ହୋଇନାହି। ଏହାଦ୍ୱାରା ଯୁବା ନେତୃତ୍ୱଙ୍କ କଂଗ୍ରେସ ଉପରେ ଆସ୍ଥା ତୁଟୁଛି ଏବଂ ସେମାନେ ଆମମାନଙ୍କୁ ଦାୟୀ କରି କଂଗ୍ରେସ ଛାଡ଼ୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି କପିଲ୍।

ସୁସ୍ମିତା ଦେବ ୨୦୧୪ ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।  କଂଗ୍ରେସ ପରିବାରର ଜଣେ ପ୍ରମୁଖ ସଦସ୍ୟ ଭାବେ ତାଙ୍କ ଇସ୍ତଫା ଦ୍ୱାରା କଂଗ୍ରେସ ସଂଗଠନ ଭିତରେ ଅସନ୍ତୋଷ ପୁଣିଥରେ ପଦାକୁ ଆସିଛି। ଏହା ପୂର୍ବରୁ ରାଜସ୍ଥାନ ଓ ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ନେଇ ଦଳ ଭିତରେ ଅନେକ ବାଦ ବିବାଦ ଲାଗି ରହିଛି। ରାଜସ୍ଥାନରେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଏଯାଏ ଜାରି ରହିଛି। ତାଙ୍କୁ ପ୍ରଶମିତ କରିବାରେ କେନ୍ଦ୍ରୀୟ ନେତୃତ୍ୱ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ନିକଟରେ ନବଜୋତ୍ ସିଂ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଦାୟିତ୍ୱ ଦେଇ ପଞ୍ଜାବରେ ଚାଲିଥିବା କନ୍ଦଳକୁ କିଛି ପରିମାଣରେ ପ୍ରଶମିତ କରାଯାଇପାରିଛି । ହେଲେ ବିବାଦ ଏଯାଏ ଟଳି ନାହିଁ ।

ଏପରି ଲାଗି ରହିଲେ ଆଗକୁ ଦଳ ଅନେକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ଏପରି ଏକ ମୁହୂର୍ତ୍ତକୁ ସମ୍ଭାଳିବାକୁ ହେଲେ ଜଣେ ପୂର୍ଣ୍ଣକାଳୀନ ସଭାପତିଙ୍କ ଆବଶ୍ୟକତାକୁ କଂଗ୍ରେସର ବରିଷ୍ଠ ନେତାମାନେ ଅନୁଭବ କରି ଦଳର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ। ଏବେ କପିଲଙ୍କ ଅନୁରୂପ ପ୍ରତିକ୍ରିୟା ଦଳରେ ନିର୍ବାଚିତ ସଭାପତି ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପରୋକ୍ଷରେ ଆହ୍ୱାନ ଦେଇଛି ।

Latest Posts

Don't Miss