କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ? ନିଷ୍ପତ୍ତି ନେବ ହାଇକମାଣ୍ଡ

ସିମଲା: କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଥିବା କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ଗତକାଲି ସଂଧ୍ୟାରେ ସିମ୍ଲାରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଥିବା ବେଳେ କିଛି ନିଷ୍ପତ୍ତି ହୋଇପାରିନି । ଏନେଇ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ ହେବ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ବାଚନ ଜିତିବା ପରେ କଂଗ୍ରେସର ଦଳୀୟ କନ୍ଦଳ ପଦାକୁ ଆସିଛି ।

କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜୋର ବିବାଦ । ମୁଖ୍ୟମନ୍ତ୍ରୀ ଆସନ ଗୋଟିଏ, କିନ୍ତୁ ଆଶାୟୀଙ୍କ ଲମ୍ବା ଲାଇନ୍ । ବିଧାୟକଙ୍କ ମଧ୍ୟରେ ବଡ଼ ବିଭାଜନ ଦେଖିବାକୁ ମିଳୁଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କ ଦେଖାନାହିଁ । ସରକାର ଗଢିବା ପାଇଁ ବିଧାୟକଙ୍କ ମଧ୍ୟରେ ତତ୍ପରତା ଦେଖାଯାଉନଥିବା ବେଳେ ୬ଜଣ ବରିଷ୍ଠ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଛନ୍ତି । ଏଭଳି କ୍ଷେତ୍ରରେ ରାଜ୍ୟପ୍ରଭାରୀ ରାଜୀବ ଶୁକ୍ଲା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ପ୍ରଭାରୀ ଭୁପେଶ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସରକାର ଗଠନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ବିଧାୟକଙ୍କ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି ତେବେ ବଡ଼ କଥା ହେଉଛି, ଏହି ସମୟରେ ରାଜ୍ୟର କୌଣସି ନେତା କିମ୍ବା କଂଗ୍ରେସ ବିଧାୟକ ଉପସ୍ଥିତ ନଥିଲେ । ତେବେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ କହିଛନ୍ତି ଯେ ରାଜ୍ୟ କଂଗ୍ରେସରେ କୌଣସି ଅସୁବିଧା ନାହିଁ । ଖୁବଶୀଘ୍ର ନୂଆ ସରକାର ଶପଥ ନେବେ ବୋଲି କହିଛନ୍ତି ।

ପ୍ରତିଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥକ ଦାବି କରୁଥିବା ବେଳେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ବିରୋଧ କରିଛନ୍ତି । ସେପଟେ ସୁକବିନ୍ଦର ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ସେ କିଛି ବିଧାୟକଙ୍କୁ ନେଇ ହୋଟେଲରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଚଳିତ ନିର୍ବାଚନରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ୪୦ଟି ସିଟ୍ ଜିତି ବହୁମତ ହାସଲ କରିଛି ।