ଛୋଟ କୋଇଲା ଚୋର ନୁହେଁ ବଡ଼ଙ୍କୁ ଧର: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: କୋଇଲା ଚୋରି ପ୍ରସଙ୍ଗରେ ମନ୍ତ୍ରୀ କେବଳ ସ୍ପଟ ବୁଲିକି ଆସିଲେ ହେବନି । ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନେ ଗରିବ ଲୋକ । ଅଳ୍ପ ଅଳ୍ପ କୋଇଲା ନେଉଥିଲେ, ଛୋଟ ଚୋରି କରୁଥିଲେ । ଯେଉଁମାନେ ଟ୍ରକ ଟ୍ରକ ଚୋରି କରି ମାଫିଆ ସାଜିଛନ୍ତି ସେମାନଙ୍କୁ ସରକାର କାହିଁକି ବାନ୍ଧୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା । ଆସନ୍ତା ୨୨ରେ କଂଗ୍ରେସ କମିଟି ସୁନ୍ଦରଗଡ଼ର ସେହି ସବୁ କୋଇଲା ଖଣି ଗସ୍ତ କରିବ ବୋଲି ସେ ସୂଚନା ଦେଇଛନ୍ତି ।
ସେପଟେ ବିଜେଡି ଅଭିଯୋଗ କରିଛି, ରାଜ୍ୟରେ ବ୍ୟାପକ ଖଣି ଚୋରି ହେଉଛି । କିନ୍ତୁ ସରକାର ନିରବଦ୍ରଷ୍ଟା ମୋଡରେ ଅଛନ୍ତି । ଖଣି ଚୋରି ନେଇ ବିଜେଡି ବିରୋଧୀ ଦଳ ଭାବେ ଏ କଥା ବିଧାନସଭାରେ ଉଠାଇଛି । କିନ୍ତୁ ସରକାର ଏହାକୁ ଅସ୍ବୀକାର କରିଥିଲେ । ଏବେ ଉପବାଚସ୍ପତି ଚିଠି ଲେଖିବା ପରେ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଦୁଇ ମନ୍ତ୍ରୀ ତଦାରଖ ପାଇଁ ଯାଇଛନ୍ତି । ଏଥିରୁ ଜଣାପଡୁଛି ଖଣି ଚୋରି ହେଉଛି, ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ସରକାର ଚାଲିଥିବା କଟାକ୍ଷ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ସୂଚନାଯୋଗ୍ୟ, ଖଣି ଚୋରିର ସ୍ଥିତି ପରଖିବା ପାଇଁ ଆଜି ସୁନ୍ଦରଗଡ଼ ଗସ୍ତ କରିଛନ୍ତି ଦୁଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗଣେଶରାମ ସିଂହ ଖୁଣ୍ଟିଆ ।