ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: ରାଜଭବନର ଏଏସଓକୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମାଡ ମାରିବା ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ପୋଲିସ ରାଜ୍ଯପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବା ଦରକାର । ରାଜ୍ଯପାଳଙ୍କ ପୁଅଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିବା ଦରକାର । ଗଭର୍ଣ୍ଣର ହାଉସର ଜଣେ ସରକାରୀ କର୍ମଚାରୀଙ୍କୁ ଯେପରି ମାଡ ମରାଗଲା ଓ ଜୀବନରୁ ମାରି ଦେବାକୁ ଧମକ ଦିଆଗଲା ସେଥିଲାଗି ଦଫା ୩୦୭ ଲାଗିବା ଉଚିତ। ରାଜ୍ଯପାଳ ଜଣେ ପୂର୍ବତନ ମୁଖ୍ଯମନ୍ତ୍ରୀ ଥିଲେ। ସେ ଗତ ନିର୍ବାଚନରେ ବିଜେପି ସରକାର ଗଢିବା ନେଇ ଉଦ୍ଯମ କରିଥିଲେ । ଏବେ ରାଜ୍ଯରେ ବିଜେପି ସରକାର ଚାଲିଛି । ତେଣୁ ପୋଲିସ ଆକ୍ସନ ଲାଗି କୁଣ୍ଠାବୋଧ କରୁଛି ବୋଲି ତାରା କହିଛନ୍ତି ।

ପୋଲିସ ନିଜ ଆଡୁ ଗିରଫ କରିବାକୁ ତାରା ଦାବି କରିଛନ୍ତି । ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ରାଜ୍ଯପାଳଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କୁ ବାନ୍ଧିବାକୁ ଦାବି କରୁଛି । ନହେଲେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବାକୁ ପଛାଇବ ନାହିଁ। ଆବଶ୍ଯକ ପଡିଲେ ରାଜ୍ଯପାଳଙ୍କୁ ବିରୋଧ କରାଯିବ । ବିଧାନସଭାରେ କଥା ଉଠାଯିବ ବୋଲି କହିଛନ୍ତି ତାରା।