ତାରାଙ୍କ ସଙ୍କେତ, ନଭେମ୍ବର ୩୦ ସୁଦ୍ଧା ପିସିସି ସଭାପତି ଚୟନ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଚୟନ ପ୍ରକ୍ରିୟା । ଚଳିତ ମାସ ୩୦ ସୁଦ୍ଧା ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି । ସାଙ୍ଗଠନିକ ଦକ୍ଷତା ଓ ଯେଉଁ ନେତାଙ୍କ ନାଁରେ କୌଣସି ବିବାଦ ନଥିବ ସେଭଳି ନେତାଙ୍କୁ ପିସିସି ସଭାପତି ଭାବେ ବଛାଯିବ । ଏଆଇସିସିର ୨ ଜଣ ପର୍ଯ୍ୟବେକ୍ଷକ ଖୁବଶୀଘ୍ର ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ତାରା । ଯାହାକୁ ନେଇ କଂଗ୍ରେସ ଶିବିରରେ ପୁଣି ଆରମ୍ଭ ହୋଇଛି ମୁଖିଆ ଚର୍ଚ୍ଚା ।

କିଏ ହେବ ପିସିସି ସଭାପତି ? କଂଗ୍ରେସ ଶିବିରରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ବୟାନ । ଆସନ୍ତା ୩୦ ତାରିଖ ସୁଦ୍ଧା ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ତାରା । ଖୁବଶୀଘ୍ର ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ହାଇକମାଣ୍ଡକୁ ସଠିକ୍ ରିପୋର୍ଟ ଦେବେ । ସେହି ଆଧାରରେ ସାଂଗଠନିକ ଦକ୍ଷତା ଓ କୌଣସି ଅଭିଯୋଗ ନଥିବା ନେତାଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ତାରା । ୨୦୨୪ ନିର୍ବାଚନ ପରେ ୫ ମାସ ହେଲାଣି ଖାଲି ପଡ଼ିଛି ପିସିସି ମୁଖିଆ ପଦ । ତେଣୁ ଶୀଘ୍ର ଓଡ଼ିଶାକୁ ନୂଆ ମଙ୍ଗୁଆଳ ମିଳିବ ବୋଲି ଆଶା ବାଢ଼ିଛନ୍ତି କଂଗ୍ରେସ ନେତା ।

ନଭେମ୍ବର ୪ ତାରିଖରେ ଓଡ଼ିଶା ଆସିଥିଲେ ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନ । କାହାକୁ କରାଯିବ ପିସିସି ସଭାପତି ସେନେଇ ଷ୍ଟିୟରିଂ ସଦସ୍ୟ, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ନିଆଯାଇଥିଲା ମତାମତ । ଓଡ଼ିଶା କଂଗ୍ରେସର ସ୍ଥିତି କ’ଣ ଓ କାହାକୁ ସଭାପତି କରାଗଲେ ଭଲ ହେବ, ସେକଥା କଂଗ୍ରେସ ହାଇକମାଣ୍ଡ ଅବଗତ ଅଛନ୍ତି ବୋଲି କହିଥିଲେ ଚରଣ ଦାସ ମହନ୍ତ । ତେଣୁ ୨ ଚୟନ କମିଟି ସଦସ୍ୟ ଓଡ଼ିଶାରେ କାହାକୁ ମୁଙ୍ଗୁଆଳ ପାଇଁ ସ୍ଥିର କରି ନାଁ ସୁପାରିଶ କରିଛନ୍ତି ତାକୁ ଚାହିଁ ବସିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ପିସିସି ସଭାପତି ଚୟନ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ ଏବଂ ଭକ୍ତଚରଣ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି । ନୂଆ ନା ପୁରୁଣାଙ୍କୁ ଭରଷା କରିବେ ହାଇକମାଣ୍ଡ । ଏହାକୁ ନେଇ କଂଗ୍ରେସ ଶିବିରରେ ଆରମ୍ଭ ହୋଇଛି ଅଙ୍କକଷା ।

ନଜର ପକାନ୍ତୁ