ସୁରଙ୍କ ଅବୁଝା ଚିଠି: ବାଚସ୍ପତି କହିଲେ ଭିଡିଓ କନଫରେନ୍‌ସିଂ ଜରିଆରେ ସାମିଲ ହୋଇପାରିବେ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଆଗାମୀ ବିଧାନସଭା ଅଧିବେଶନ ବର୍ଜନ କରିବେ । ଏନେଇ ସେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ତାଙ୍କ କହିବା କଥା, ୬୦ବର୍ଷରୁ ଅଧିକ ବୟସର ବିଧାୟକଙ୍କ ପାଇଁ କଟକଣା ଲାଗୁ ହୋଇଥିବାରୁ ସେ ବର୍ଜନ କରିବେ । ଏପଟେ ବିଧାନସଭା ପାଇଁ ବିରୋଧୀ ଓ ଶାସକ ସଜବାଜ ହେଉଛନ୍ତି, ସେପଟେ ବିଧାନସଭାର ନିଷ୍ପତ୍ତି ନବୁଝି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ସୁରେଶ ରାଉତରାୟ ।

ସୁରଙ୍କ ଅବୁଝା ଚିଠି  । ବିଧାନସଭା ବର୍ଜନ କରିବାକୁ ଚେତାବନୀ । ନିଷ୍ପତ୍ତି ନଜାଣି  ଉଠାଇଲେ ପ୍ରଶ୍ନ । ବାଚସ୍ପତି କହିଲେ ବିଧାୟକଙ୍କ ଉପରେ କଟକଣା ନାହିଁ  । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଜଟଣୀର ବିଧାୟକ । ବିଧାନସଭାରେ ବଡ଼ପାଟି କରୁଥିବା ଏହି ବିଧାୟକ ଏବେ ଅବୁଝା । କରୋନା ପାଇଁ ୬୦ବର୍ଷରୁ ଅଧିକ ବୟସର ବିଧାୟକଙ୍କ ପାଇଁ କଟକଣା ଲାଗୁ ହୋଇଥିବାରୁ ସୁର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ସୁରଙ୍କ ଚିଠି ପାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ୬୦ବର୍ଷରୁ ଅଧିକ ବୟସର ବିଧାୟକ  ଯଦି ଚାହିଁବେ ତେବେ ଭିଡିଓ କନଫରେନ୍‌ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇପାରିବ । ହେଲେ ଏକଥା ଠିକ୍ ଭାବେ ବୁଝି ନାହାନ୍ତି ସୁର ରାଉତରାୟ ।

ସେପଟେ ଆସନ୍ତା ୨୯ତାରିଖରେ ବିଧାନସଭା ଅଧିବେଶନ ପୂର୍ବରୁ ୨୮ରେ  ବିଜେପି ବିଧାୟକ ଦଳ ବୈଠକ ବସିବ । ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ, ସେନେଇ ଆଲୋଚନା କରାଯିବ । ସେହିପରି ୨୬ କିମ୍ବା ୨୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ନିୟମ ଅନୁସାରେ ବିଧାନସଭା ଚାଲିବ ବୋଲି ଶାସକ ବିଜେଡି କହିଛି  । ଆସନ୍ତା ୨୬ ତାରିଖରେ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାଇଁ ବିରୋଧୀ ଦାବି କରିଛନ୍ତି ।

Leave a Reply