ଧର୍ମେନ୍ଦ୍ରଙ୍କୁ ନରସିଂହଙ୍କ ପ୍ରଶ୍ନ: ଜାତିଭିତ୍ତିକ ଜନଗଣନାକୁ ଏତେ ଡର କାହିଁକି ?

ଭୁବନେଶ୍ୱର: କଂଗ୍ରେସର ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା ପ୍ରସଙ୍ଗ । ବିଜେପି ଉପରେ ବର୍ଷିଲା କଂଗ୍ରେସ । ଧର୍ମ ନାଁରେ ବିଜେପି ଦେଶକୁ ଭାଗ ଭାଗ କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଏନେଇ ବିଦେଶରେ ବି ଚର୍ଚ୍ଚା ହେଉଛି । ଏପରିକି ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରୁ ଫେରିବା ପରେ ବିଜେପି ଧର୍ମ ନାଁରେ ରାଜନୀତି କରୁଥିବା କହିଥିଲେ । ବିଜେପିର ଆଭିମୁଖ୍ୟ ସଇତାନର ବେଦପାଠ ସଦୃଶ ।

ବିଜେପି ଦଳର ଚରିତ୍ର ହେଲା ଉଲଟା ଚୋର କଟୱାଲ କୋ ଡାଟେ । ଓବିସି ସଂଖ୍ୟାଧିକ ଥାଇ ବି କେନ୍ଦ୍ର ଦ୍ବାରା ଉପେକ୍ଷିତ ହେଉଛନ୍ତି । ଓବିସିଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥା କରିପାରିବେ । ଓବିସିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ କଂଗ୍ରେସ ଡାକରା ଦେଇଛି । ସେମାନଙ୍କ ଅର୍ଥନୈତିକ ସାମାଜିକ ବିକାଶ କରିବା ପାଇଁ ଜାତି ଭିତ୍ତିରେ ଜନଗଣନା ହେଉ ବୋଲି ନରସିଂହ ଦାବି କରିଛନ୍ତି ।

ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ନରସିଂହ କହିଛନ୍ତି, କଂଗ୍ରେସ କ’ଣ ଦେଶ ଭାଗ କରିବ ପ୍ରଥମେ ଧର୍ମେନ୍ଦ୍ର ବାବୁ ନିଜ ଦଳ କଥା ଚିନ୍ତା କରନ୍ତୁ । ଗତକାଲି ବଲାଙ୍ଗୀରରେ କ’ଣ ହେଲା ବୋଲି ସେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି । ସେଥିପାଇଁ ଆଜି ଆରଏସ୍ଏସ୍ ବିରୋଧୀ ହେଲାଣି । କଂଗ୍ରେସ ବିରୋଧରେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି । ଧର୍ମେନ୍ଦ୍ର ଆଗେ ନିଜ ହୃଦୟକୁ ପଚାରନ୍ତୁ ଓ ଇତିହାସ ପଢ଼ନ୍ତୁ କେଉଁମାନେ ଦେଶକୁ ଧର୍ମ ନାଁରେ ଭାଗଭାଗ କରୁଛନ୍ତି । କଂଗ୍ରେସ ଏହାର ମୁହଁତୋଡ ଜବାବ ଦେବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେପଟେ ବିଜେପି ଉପରେ ବର୍ଷିଛନ୍ତି ସୁର । ବିଜେପି ପୂରା ଦେଶର ରୁଟି ଖାଇ ଦେଇଛି । ଗହମ ବି ଆଉ ମିଳୁନି । ଦରଦାମ ବୃଦ୍ଧି କରି ବିଜେପି ସବୁ ଖାଇଦେଲାଣି । ଲୋକେ ଅତିଷ୍ଠ ହୋଇ ପଡିଲେଣି । ରାହୁଲ ଗାନ୍ଧୀ ଜାତିଗତ ଜନଗଣନାର ନେଇ ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ସୁର କହିଛନ୍ତି । ସେପଟେ ବିଜେପି ଦେଶବାସୀଙ୍କୁ ଜୁମୁଲା ଦେଖାଇ ସରକାରକୁ ଆସିଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଲୋକେ ତାହା ବୁଝି ଗଲେଣି । ତେଣୁ ଲୋକେ ୨୦୨୪ ନିର୍ବାଚନରେ ଭୋଟରେ ରୁଟି ସେକି ଦେବେ ବୋଲି ସେ କହିଛନ୍ତି । ଯାହାର ସଂଖ୍ୟା ଯେତେ ତା’ର ଭାଗ ସେତେ । ଜାତିଗତ ଜନଗଣନା କଂଗ୍ରେସ ଶାସିତ ରାଜ୍ୟରେ ହେବ । ବିଜେପିକୁ କାହିଁକି ଏକଥା ବାଧୁଛି ବୋଲି ଜୟଦେବ ପ୍ରଶ୍ନ କରିଛନ୍ତି ।