ପୁଣି ବିବାଦରେ ଇରଫାନ ଅନସାରୀ, କହିଲେ କଙ୍ଗନାଙ୍କ ଗାଲ ପରି ନିର୍ମାଣ କରିବେ ଚିକ୍କଣ ରାସ୍ତା

1 min read

ରାଞ୍ଚି: ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ ଡକ୍ଟର ଇରଫାନ ଅନସାରୀ । ନିଜ ବୟାନ ପାଇଁ ପୁଣି ଅଡୁଆରେ ପଡ଼ିଛନ୍ତି ଇରଫାନ ଅନସାରୀ । ଇରଫାନ ଅନସାରୀ କହିଛନ୍ତି କି ତାଙ୍କ ନିର୍ବାଚନ ମଣ୍ଡଳୀ ଜମତାରାର ରାସ୍ତାଗୁଡିକୁ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ନିଜ ନିର୍ବାଚନ ମଣ୍ଡଳୀ ଜମତାରାରେ ସେ ଏହି ଧରଣର ରାସ୍ତା ନିର୍ମାଣ କରିବା ଲାଗି ଏକ ଭିଡିଓରେ କହିଛନ୍ତି । ନିଜେ ପ୍ରସ୍ତୁତ କରିଥିବା ଏକ ଭିଡିଓରେ ସେ କହିଛନ୍ତି ଜମତାରାରେ ୧୪ଟି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ । ଏସବୁ କଙ୍ଗନାଙ୍କ ଗାଲ ପରି ଚିକ୍କଣ ହେବ ।

ପୂର୍ବରୁ କୋଭିଡ ସମ୍ପର୍କରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଶରୀର ପକ୍ଷେ କ୍ଷତିକାରକ । ଇରଫାନ ଅନସାରୀଙ୍କ ପୂର୍ବରୁ ୨୦୦୫ରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ କହିଥିଲେ ଯେ ବିହାରରେ ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ କରି ନିର୍ମାଣ କରିବେ । ସେହିପରି ୨୦୨୧ ନଭେମ୍ବରରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ରାଜ୍ୟର ରାସ୍ତାଗୁଡିକ କ୍ୟାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ କରିବେ । ଗତ ୨୦୨୧ ଡିସେମ୍ବରରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ କହିଥିଲେ କି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ କରିବେ । ଗୁଲାବରାଓ ପାଟିଲଙ୍କ ଏହି ବୟାନ ପାଇଁ ତାଙ୍କୁ ମହିଳା କମିଶନଙ୍କ ନିକଟରେ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା ।

Leave a Reply