ପିସିସି ସଭାପତି ପଦରୁ ହଟାଅ, କଂଗ୍ରେସ ବଞ୍ଚାଅ

1 min read

ଭୁବନେଶ୍ୱର: ଯେଉଁ ଗାତ ଖୋଳିଥିଲେ ସେଇଥିରେ ପଡ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେପି ସହ ଭିତିରି ବୁଝାମଣା ତାଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି । ଖୋଦ କଂଗ୍ରେସ କ୍ୟାମ୍ପରୁ ତାଙ୍କ ବିରୋଧରେ ବିଦ୍ରୋହର ତଗଡ଼ା ସ୍ୱର । ‘ନିରଞ୍ଜନ ହଟାଅ, କଂଗ୍ରେସ ବଞ୍ଚାଅ’ । ଏବେ ଏ ଜିଦ ଧରିଛନ୍ତି ରାଜ୍ୟ କଂଗ୍ରେସର ବିଧାୟକ । ସେମାନେ ମିଳିତ ଭାବେ ଏ ସଂପର୍କରେ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ନିରଞ୍ଜନଙ୍କୁ ପିସିସି ମୁଖିଆ ପଦରୁ ଅବ୍ୟାହତି ଦେବାକୁ ବିଧାୟକମାନେ ଦାବି କରିଛନ୍ତି । କଂଗ୍ରେସ ହାଇକମାଣ୍ଡ ଏହାକୁ ଗମ୍ଭୀରତାର ସହ ନ ନେଲେ ଆଗକୁ ଦଳରେ ଇସ୍ତଫାର ସୁଅ ଛୁଟିବ ବୋଲି ବିଧାୟକମାନେ ଏକରକମ ଇଙ୍ଗିତ ଦେଇଛନ୍ତି । ବିଧାନସଭା ଚାଲିଥିଲା ବେଳେ କଂଗ୍ରେସର ‘ନିରଞ୍ଜନ ହଟାଅ ଅଭିଯାନ ଏବେ ରାଜ୍ୟ ରାଜନୀତିରେ ଆଣିଛି ହଲଚଲ୍ ।

କଂଗ୍ରେସର ଦାୟ ନା ବିଜେପିରେ?

ପରୋକ୍ଷରେ ନିରଞ୍ଜନଙ୍କୁ ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ଦଳର ବିଧାୟକ । ସେମାନଙ୍କ ଅଭିଯୋଗ ହେଉଛି, ପିସିସି ସଭାପତି ପଦରେ ଥାଇ ନିରଞ୍ଜନ କଂଗ୍ରେସକୁ ବଳୁଆ କରିବା ବଦଳରେ ବିଜେପି ସହ ଭାବ ପୀରତି ରଖିଛନ୍ତି । ନିରଞ୍ଜନ-ବିଜେପି ଗୋପନ ମଧୁଚନ୍ଦ୍ରିକା କଂଗ୍ରେସକୁ ଦୁର୍ବଳ କରି ଚାଲିଛି । ତଳସ୍ତରରେ କର୍ମୀମାନଙ୍କର ମନୋବଳ ଭାଙ୍ଗି ଚାଲିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିଲା ବେଳେ ପଦ୍ମ କ୍ୟାମ୍ପ ସହ ନିରଞ୍ଜନଙ୍କ ଏଭଳି ଭିତିରି ବୁଝାମଣା କଂଗ୍ରେସକୁ ତଳକୁ ତଳକୁ ନେଉଛି । ତେଣୁ ବେଳ ଥାଉ ଥାଉ ରାହୁଲ ଏ ମାମଲାରେ ହସ୍ତକ୍ଷେପ କରନ୍ତୁ । ଯେତେ ଶୀଘ୍ର ସମ୍ଭବ ନିରଞ୍ଜନଙ୍କ ବଦଳରେ ନୂଆ ବ୍ୟକ୍ତିଙ୍କୁ ପିିସିସି ମଙ୍ଗୁଆଳ ଭାବେ ନିଯୁକ୍ତି ମିଳୁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଛାଡ଼ି ଅନ୍ୟ ସମସ୍ତ ବିଧାୟକମାନେ ରାହୁଲଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ଦସ୍ତଖତ କରିଛନ୍ତି । ଏପରିକି ବହୁ ବିଧାୟକ ଏ ପ୍ରସଙ୍ଗରେ ପିସିସି ସଭାପତିଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଖୋଲା ସମାଲୋଚନା କରିଛନ୍ତି ।

ଷଣ୍ଢୁଆସୀ ଆକ୍ରମଣ ଯୋଗୁଁ ନିରଞ୍ଜନ ଏବେ ଅଠାକାଠିରେ-
ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଚାଲିଛି । ରାଜ୍ୟବାସୀଙ୍କ ହାନିଲାଭ ବିଧାନସଭାରେ ଆଲୋଚନା ହେବା ବଦଳରେ କେବଳ ଦେଖିବାକୁ ମିଳୁଛି ବିରୋଧୀଙ୍କ ହଙ୍ଗାମା ଆଉ ହଟ୍ଟଗୋଳ । ଗୋଟିଏ ଦିନ ବି ବିଧାନସଭା ଚାଲିପାରିନି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି, ମାତ୍ର ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କିଛି ବି ଆଲୋଚନା ହୋଇପାରୁନି । ବିରୋଧୀ ବିଜେପି ଓ କଂଗ୍ରେସର ଆଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପିର ଗୋଡ଼ାଣିଆ ଭଳି କଂଗ୍ରେସ ବାଟ ଚାଲୁଛି । ଏମିତି ଲାଗୁଛି ଯେମିତି ବିଜେପି ଗାଡ଼ିର ପଛ ସିଟରେ ବସିଛି କଂଗ୍ରେସ । କଂଗ୍ରେସର ଏଭଳି ବାଟବଣା ତୃଣମୂଳସ୍ତରରେ ଦଳକୁ ନାହିଁ ନଥିବା କ୍ଷତି ପହଞ୍ଚାଇଲାଣି ।

ଏମିତି ଅବସ୍ଥା ଲାଗି ରହିଲେ ଆଗକୁ ପଞ୍ଚାୟତ ଓ ପୌର ଭୋଟରେ ଦଳର ମାଟି କାମୁଡ଼ିବ ତାହା ଜଳଜଳ। ନିରଞ୍ଜନଙ୍କ ଏଭଳି ପଦ୍ମ ପ୍ରୀତିକୁ ନେଇ ଦଳର ବିଧାୟକମାନେ ରାଗି ପାଚି ଲାଲ ପଡ଼ି ଯାଇଛନ୍ତି । ସେମାନେ ରାହୁଲଙ୍କୁ ଚିଠି ଲେଖି ତୁରନ୍ତ ପିସିସିରୁ ତାଙ୍କୁ ହଟାଇବାକୁ ଦାବି କରିଛନ୍ତି । ନିରଞ୍ଜନଙ୍କ ଅସଲ ମୁଖା ଖୋଦ ଦଳୀୟ ବିଧାୟକମାନେ ପଦାରେ ପକାଇବା ପରେ ସେ ଏବେ ଅଠାକାଠିରେ । ରାଜନୈତିକ ମହଲର ଯୁକ୍ତି, କଂଗ୍ରେସର ଅସ୍ତିତ୍ୱ ବଞ୍ଚାଇବାକୁ ହେଲେ ନିରଞ୍ଜନଙ୍କୁ ଅବ୍ୟାହତି ହେଉଛି ସବୁଠାରୁ ଜରୁରୀ। ରାହୁଲ ଏଥିରେ ସାମାନ୍ୟ ଅବହେଳା କଲେ କଂଗ୍ରେସର ଭେଳା ବୁଡ଼ିବ।

Leave a Reply