ଓଡ଼ିଶାରେ ‘ଭାରତ ବନ୍ଦ’କୁ କଂଗ୍ରେସ-ବାମ ଦଳର ସମର୍ଥନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌କୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ଦରବାରରେ ଚାଷୀମାନେ ଅହରହ ଖରା ଶୀତ କାକର ଖାଇ ଆନ୍ଦୋଳନ କରୁଥିବା ବେଳେ ସାରା ଦେଶରୁ ଏବେ ତାଙ୍କୁ ସମର୍ଥନ ମିଳିବା ଆରମ୍ଭ ହୋଇଛି । ଏହି ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଓଡ଼ିଶାରେ ମଧ୍ୟ ଅନେକ ରାଜନୈତିକ ଦଳ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି ।

ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନକୁ ସମର୍ଥନ ଦିଆଯାଇଥିବା ବେଳେ ଏବେ କଂଗ୍ରେସ ଓ ବାମ ଦଳ ମଧ୍ୟ ଚାଷୀଙ୍କ ସହ ହାତ ମେଳାଇଛନ୍ତି । କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଥିବା ନେଇ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ସାରା ରାଜ୍ୟରେ କଂଗ୍ରେସର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଚାଷୀଙ୍କ ବନ୍ଦ ଡାକରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବେ ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ନଦେବାକୁ ଦଳ ତରଫରୁ ନିଷ୍ପତି ନିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି । ଏମିତିକି କୌଣସି ପ୍ରକାର ଗଣ୍ଡଗୋଳ, ହିଂସା ଆଚରଣ ନଘଟାଇ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସମସ୍ତ ନେତୃମଣ୍ଡଳୀ, ବିଶେଷକରି ଉପଭୋକ୍ତା ବନ୍ଧୁ ଓ ଓଡିଶାର ଭାଇଭଉଣୀମାନଙ୍କୁ ସେ ବିନମ୍ର ଅନୁରୋଧ କରିଛନ୍ତି ।

Farm Laws 18 Opposition Parties In Support Of Bharat Bandh Including Congress

ଅନ୍ୟପଟେ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି ନୂଆ କୃଷି ଆଇନ୍‌କୁ ସେ  କଳା କୃଷି ଆଇନ୍ ବୋଲି ସମ୍ବୋଧନ କରିଛନ୍ତି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ମଧ୍ୟ ସେ କହିଛନ୍ତି ।

Leave a Reply