ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତିର ଲମ୍ବା ତାଲିକା ଦେଖାଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ବଢ଼ି ଚାଲିଛି ନାରୀ ନିର୍ଯାତନା । ରାଜ୍ୟ ବିଜେପି ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅପରାଧୀକ କାର୍ଯ୍ୟକଳାପ ଚରମସୀମାରେ ପହଞ୍ଚିଛି । ଏମିତି କିଛି ଅଭିଯୋଗ କରିବା ସହ ଅପରାଧ ଓ ନାରୀ ନିର୍ଯାତନାର ଲମ୍ବା ତାଲିକା ଦେଖାଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ୍ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ନାବାଳିକାଙ୍କ ଆତ୍ମହତ୍ୟା । କୋରାପୁଟ ଲକ୍ଷ୍ମୀପୁରରେ ନାବାଳିକାଙ୍କୁ ଦୁଷ୍କର୍ମ । ମୟୂରଭଞ୍ଜରେ ଗଣଦୁଷ୍କର୍ମ । ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳିକାଙ୍କ ସନ୍ତାନ ପ୍ରସବ । ପୁରୀ ପିପିଲିରେ ବି ନାବାଳିକା ଗର୍ଭବତୀ । କେନ୍ଦୁଝରରେ ଘଟିଥିବା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି । ରାଜ୍ୟରେ ୪୪ ହଜାର ମହିଳା ଓ ଶିଶୁ ନିଖୋଜ । ଗତ ୯ ମାସରେ ବିଜେପି ସରକାରରେ ରାଜ୍ୟର ସ୍ଥିତି ଅତି ସାଂଘାତିକ । ଆଇନଶୃଙ୍ଖଲା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏପରି ଅଭିଯୋଗର ଲମ୍ବା ତାଲିକା ଗଣାଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ।

ସେ କହିଛନ୍ତି, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଦିବାସୀଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର । ହେଲେ ଅନ୍ୟାୟ ବିରୋଧରେ କଂଗ୍ରେସ ସଂଗ୍ରାମ ଜାରି ରଖିବ । ସେ ଦାବି କରି କହିଛନ୍ତି, ବିଧାନସଭାରେ ସର୍ବଦଳୀୟ ସମିତି ଗଢାଯାଉ । ମହିଳାଙ୍କ ଭବିଷ୍ୟତ ସୁରକ୍ଷା, ସ୍ୱାବଲମ୍ବୀ ପାଇଁ ପଦକ୍ଷେପ ନିଆଯାଉ । ସେହିପରି କଂଗ୍ରେସ ସହ ହାତାହାତି, ବିଧାୟକଙ୍କୁ ସସପେଣ୍ଡ କଲେ କଂଗ୍ରେସ ଚୁପ ରହିବନି ବୋଲି ଚେତାଇ ଦେଇଛନ୍ତି ସୁପ୍ରିୟା ।