୩ଟି ସ୍ଥାନରେ ଭାରତର ଜମି ଅକ୍ତିଆର କରିଛି ଚୀନ୍: ରାହୁଲ ଗାନ୍ଧି

1 min read
Congress Leader Rahul Gandhi attacks PM Narendra Modi on LAC Issue

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚୀନକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଲଦାଖର ଗଲବାନ ଘାଟିରେ ଭାରତୀୟ ସେନାର ୨୦ ଯବାନ ସହିଦ ହେବା ପରେ ଉତ୍ତେଜନା ଲାଗି ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଏକ ଭିଡିଓ ଜାରି କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି- ପ୍ରଧାନମନ୍ତ୍ରୀ ନ ଡରି, ଆତଙ୍କିତ ନ ହୋଇ ସତ କୁହନ୍ତୁ ଚୀନ ଆମ ଜମି ନେଇଛି ଓ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛୁ । ଏଭଳି ସ୍ଥିତିରେ ପୂରା ଦେଶ ଆପଣଙ୍କ ସହ ଛିଡ଼ା ହୋଇଛି ବୋଲି ବିରୋଧୀ ରାହୁଲ ବାର୍ତ୍ତା ଦେଇଛନ୍ତି ।Rahul_Gandhi

ରାହୁଲ ଗାନ୍ଧି କହିଛନ୍ତି- ସାରା ଦେଶ ଗୋଟିଏ ହୋଇ ସେନା ଓ ସରକାରଙ୍କ ସହ ଛିଡ଼ା ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି, କିଛିଦିନ ତଳେ ପ୍ରଧାନମନ୍ତ୍ରୀ କହିଥିଲେ କେହି ବି ଆମ ଦେଶରେ ଅନୁପ୍ରବେଶ କରିନାହାଁନ୍ତି କି ଆମ ଜମି ଛଡ଼ାଇ ନେଇନାହାଁନ୍ତି । କିନ୍ତୁ, ସାଟେଲାଇଟ୍ ଦେଖାଉଥିବା ଚିତ୍ର, ସେନାର ପୂର୍ବ ଜେନେରାଲ ଓ ଲଦାଖର ଲୋକଙ୍କ ଅନୁଯାୟୀ ଚୀନ୍ ଗୋଟିଏ ଜାଗାରେ ନୁହେଁ ବରଂ ୩ଟି ସ୍ଥାନରେ ଭାରତର ଜମି ଅକ୍ତିଆର କରିଛି ।

କଂଗ୍ରେସ ନେତା ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ଆପଣ ସତ କୁହନ୍ତୁ, ଡରନ୍ତୁ ନାହିଁ । ଯଦି ଚୀନ୍ ଜମି ଅକ୍ତିଆର କରିବା ପରେ ଜମି ଆମ ପାଖରେ ଥିବା ନେଇ କୁହନ୍ତି ତେବେ, ଚୀନର ଫାଇଦା ହେବ । ଆମକୁ ମିଳିତ ଭାବେ ଲଢ଼େଇ କରିବାର ଅଛି । ଏଥିସହ ଭିଡିଓର ରାହୁଲ ଆଉ ଏକ ପ୍ରଶ୍ନ କରିଛନ୍ତି । ସହିଦ ହୋଇଥିବା ଯବାନଙ୍କୁ ବିନା ଅସ୍ତ୍ରଶସ୍ତ୍ରରେ ସୀମାକୁ କିଏ ଓ କାହିଁକି ପଠାଇ ଥିଲା ?

ଲଦାଖ ଗଲବାନ ଘାଟିରେ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ କରିଥିଲେ । ଯେଉଁଥିରେ ଚୀନ୍ ଅନୁପ୍ରବେଶ କରିନଥିବା କହିଥିଲେ ପିଏମ୍ ମୋଦି । ଯାହା ପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ପରେ ପିଏମଓ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଉତ୍ତେଜନା (ସଂଘର୍ଷ) ସ୍ଥାନରେ ଚୀନ୍ ଅନୁପ୍ରବେଶ କରିନାହିଁ । ସୂଚନାଯୋଗ୍ୟ ଯେ, ବାସ୍ତବିକ ନିୟନ୍ତ୍ରଣ ସୀମା ରେଖାରେ ମେ ମାସରୁ ଉତ୍ତେଜନା ଲାଗି ରହିଛି । ଗତ ଜୁନ୍ ୧୫ ତାରିଖରେ ଗଲବାନ ଘାଟିରେ ଉତ୍ତେଜନା ହିଂସାତ୍ମକ ରୂପ ନେଇଥିଲା । ଯେଉଁଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ଏବେ ଗଲବାନ ଘାଟି, ପ୍ୟାଙ୍ଗୋଗ୍ ନଦୀ କୂଳରେ ଚୀନ ସେନା ସଂଖ୍ୟା ବଢ଼ାଇବା ସହ ଭିତ୍ତିଭୂମି ନିର୍ମାଣ କରୁଛି ।

Leave a Reply