ରାମପୁର ଗସ୍ତବେଳେ ପ୍ରିୟଙ୍କା କାର ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ କଂଗ୍ରେସ ମହାସଚିବ

ହାପୁଡ: ରାମପୁର ଗସ୍ତରେ ଯାଉଥିବା ବେଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ପ୍ରିୟଙ୍କା ସୁରକ୍ଷିତ ଅଛନ୍ତି । ମିଳୁଥିବା ସୂଚନା ଅନୁସାରେ ପ୍ରିୟଙ୍କାଙ୍କୁ ନେଇ ଯାଉଥିବା କାର ଦ୍ରୁତ ବେଗରେ ଯାଉଥିବା ବେଳେ ଏହାର ଇଂଜିନ୍ ଗରମ ହୋଇଯାଇଥିଲା । ଗାଡିରୁ ଧୂଆଁ ବାହାରିଥିଲା । ଫଳରେ ଡ୍ରାଇଭର ଗାଡିକୁ ଅଚାନକ ରୋକିଥିଲେ । ଏହି ସମୟରେ ପଛରେ ଆସୁଥିବା କାର ତତ୍କାଳ ଅଟକି ନପାରି ପରସ୍ପର ସହିତ ଧକ୍କା ଖାଇଥିଲେ । ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି ।

ଜାନୁଆରୀ ୨୬ ତାରିଖ ଟ୍ରାକ୍ଟର ରାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୃଷକ ନବରୀତ ସିଂହଙ୍କ ଦଶାହ ଭୋଜିରେ ଯୋଗ ଦେବାକୁ ପ୍ରିୟଙ୍କା ବିଲାଶପୁରର ଡିବଡିବା ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ନବରିତଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ନେଇ ପ୍ରଥମେ ଦାବି କରାଯାଉଥିଲା କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର କାରଣ ଦୁର୍ଘଟଣା ବୋଲି ଜଣା ପଡିଥିଲା । ଗୁଳି ମାଡର କୌଣସି ପ୍ରମାଣ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିନଥିଲା ।

ପ୍ରିୟଙ୍କାଙ୍କ ସହିତ ୫୦୦ ଗାଡିରେ ଦଳୀୟ କର୍ମୀ ଯାଉଥିଲେ । ତେବେ ଜିଲ୍ଲା ପୋଲିସ ପାଖରେ ପ୍ରିୟଙ୍କାଙ୍କ ଗସ୍ତକୁ ନେଇ କୌଣସି ସୂଚନା ନଥିବା ସ୍ଥାନୀୟ ଏସପି ଶଗୁନ ଗୌତମ କହିଛନ୍ତି ।

Leave a Reply