ପଞ୍ଚାନନଙ୍କ ବିସ୍ଫୋରକ ବୟାନ: ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ

ଭୁବନେଶ୍ବର: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରେ ଅସନ୍ତୋଷ ଓ କନ୍ଦଳ ବଢିବାରେ ଲାଗିଛି । ଆଜି ସେହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ପଞ୍ଚାନନ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି, କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ।

ଆଗକୁ ସେ କହିଛନ୍ତି, ପିସିସି ସଭାପତି ନିଜେ ଶୋଚନୀୟ ଭାବେ ହାରିଛନ୍ତି । ଦଳ ମଧ୍ୟ ହାରିଛି । ସେ ଜିତିଥିଲେ କଥା ଅଲଗା ଥିଲା । ତେଣୁ ପିସିସି ସଭାପତି ଇସ୍ତଫା ଦେଇ ଦେବା କଥା ।

ସେ ପୁଣି କହିଛନ୍ତି, ସେ ଇସ୍ତଫା ଦେଇଛନ୍ତି କି ନାହିଁ ମୁଁ ଜାଣିନି । ଯଦି ଇସ୍ତଫା ଦେଇଥିବେ ତା’ହାଲେ ଭଲ କଥା । ଦଳ ୯ ରୁ ୯୦ ମିଶନ ନେଇ କାମ କରୁଥିଲା । ହେଲେ ଦିଲ୍ଲୀରୁ ଆରମ୍ଭ କରି ରାଜ୍ୟ ନେତାଙ୍କ ଭିତରେ ଏହି ମିଶନ ପ୍ରତି ଆତ୍ମବିଶ୍ୱାସ ନଥିଲା । ଏହାର ସମୀକ୍ଷା ହେବ ଉଚିତ ।

କେବଳ ପଞ୍ଚାନନ କାନୁନଗୋ ନୁହଁନ୍ତି, ଦଳ ପରାଜୟକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ମୁହଁ ଖୋଲିଛନ୍ତି । ସେ ମଧ୍ୟ ପଞ୍ଚାନନଙ୍କ ପରି ସମାନ କଥା କହିଛନ୍ତି । ବର୍ତ୍ତମାନ ପିସିସି ସଭାପତି ଇସ୍ତଫା ଦେଇଛନ୍ତି ନା ନାହିଁ ମୁଁ ଜାଣିନି । କିନ୍ତୁ ପିସିସି ସଭାପତି ଥିବା ସମୟରେ କଂଗ୍ରେସ ପରାଜିତ ହେବା ପରେ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଥିଲି ବୋଲି ଜୟଦେବ କହିଛନ୍ତି ।