ମୋଦିଙ୍କ କୃଷି ଆଇନ୍ ପ୍ରତ୍ୟାହାରକୁ ନେଇ ନରସିଂହ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏହି ଘୋଷଣା ପୁଣି ଗୋଟିଏ ଜୁମଲା ହେବନି ତ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଅତୀତରେ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ କରିବା ଲାଗି ଅନେକ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ସେ ସବୁ ଜୁମଲାରେ ପରିଣତ ହୋଇଛି ।

ଏବେ କୃଷି ଆଇନ ପ୍ରତ୍ୟାହାର ପାଇଁ ସଂସଦର ଅନୁମୋଦନ ନିଆଯିବ ।  ଅତୀତରେ ଚାଷୀଙ୍କ ପାଇଁ ବହୁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ରଖିନାହାନ୍ତି । ଗୋଟିଏ ଆଇନ ପ୍ରତ୍ୟାହାର କରି ଆଉ ଗୋଟିଏ ଚାଷୀ ବିରୋଧୀ ଆଇନ କରିବେ ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଲଗାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନରସିଂହ ଦାବି କରିଛନ୍ତି ।

ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ କରିବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା  ।କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

Leave a Reply