କରୋନା ଟିକା ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ କଂଗ୍ରେସ ନେତା ଅଭିଷେକ ସିଂହଭିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶୀ କମ୍ପାନୀଠୁ ଟିକା କିଣିବ ଓଡ଼ିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ଏ ନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ଔଷଧ ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି । ସେ କହିଛନ୍ତି, ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାର ଏହା କରିବାର ଥିଲା । କିନ୍ତୁ ଏଭଳି ନକରି ବିଦେଶକୁ ଟିକା ରପ୍ତାନି କଲେ କେନ୍ଦ୍ର ସରକାର । ଯେଉଁଥିପାଇଁ ଟିକା ସମସ୍ୟା ଦେଖାଦେଉଛି । କିନ୍ତୁ ସ୍ବଳ୍ପ ସମ୍ବଳ ସତ୍ତ୍ୱେ ଓଡ଼ିଶା ରାଜ୍ୟ ଦେଖାଇଛି ବାଟ । ସମସ୍ତଙ୍କୁ ଟିକା ଦେବା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଷେକ ମନୁ ସିଙ୍ଗଭି ।

ଟିକା ଯେପରି ଓଡ଼ିଶାର ଲୋକ ସୁବିଧାରେ ପାଇ ପାରିବେ ସେଥିପାଇଁ ବିଶ୍ଵର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏଣିକି ଓଡ଼ିଶା ସରକାର ବିଦେଶୀ କମ୍ପାନୀଙ୍କଠାରୁ ଟିକା କିଣିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଲାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କ୍ୟାବିନେଟ ବୈଠକରେ କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା କରାଯାଇ ସଂକଳ୍ପ ଗୃହୀତ ହୋଇଛି ।

ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରାଯିବ । ଶୀଘ୍ର ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ସେଥିପାଇଁ ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକାର ପୁନସ୍ଥାପନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।

ଏଥିସହିତ ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ କ୍ୟାବିନେଟ ଦାବି ଜଣାଇଛି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟ ମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟ ଦାବି କରିଛି ।

Leave a Reply