ନନ୍ଦିଘୋଷ ବ୍ୟୁରୋ : ଆସିଲା ମୋକିମଙ୍କ ନୂଆ ଦଳର ନାଁ । ଓଡିଶା ଜନତା କଂଗ୍ରେସ ନାଁରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଗଢିବେ ନୂଆ ଆଞ୍ଚଳିକ ଦଳ । ମାର୍ଚ୍ଚ ମାସରେ ଗଠନ ହେବାକୁ ଥିବା ଏହି ଦଳ ଓଡିଶା କୈନ୍ଦ୍ରିକ ପାର୍ଟି ହେବ ବୋଲି କହିଛନ୍ତି ମହମ୍ମଦ ମୋକିମ । କଂଗ୍ରେସ ନାଁକୁ ଯୋଡ଼ି ଦଳ ଗଠନ କଲେ ରାଜ୍ୟ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବନି ବୋଲି କହିଛି ଦଳ । ବିଜେଡି କହିଛି, ନୂଆ ଆଞ୍ଚଳିକ ଦଳର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ।
କଂଗ୍ରେସ ନାଁରେ ମୋକିମଙ୍କ ଦଳ । ନୂଆ ଆଞ୍ଚଳିକ ଦଳର ନାଁ ଓଡିଶା ଜନତା କଂଗ୍ରେସ ! ଅସନ୍ତୋଷ କଂଗ୍ରେସ ନେତା ହେବେ କି ଏକାଠି ? ନୂଆ ଦଳ ପ୍ରଭାବଶୂନ୍ୟ ହେବ କହିଲେ ପ୍ରମୁଖ ଦଳ । ରାଜ୍ୟ କଂଗ୍ରେସକୁ ବିଭାଜିତ କରିବେ କି ଦଳରୁ ବହିଷ୍କୃତ ହୋଇଥିବା ପୂର୍ବ ବିଧାୟକ ମହମ୍ମଦ ମୋକିମ । କଂଗ୍ରେସ ନାଁକୁ ଯୋଡି ମାର୍ଚ୍ଚରେ ମୋକିମ ଗଢିବେ ନୂଆ ଆଂଚଳିକ ଦଳ । ଯାହାର ନାଁ ରହିବ ଓଡିଶା ଜନତା କଂଗ୍ରେସ । ନୂଆଦଳ ଓଡିଶା କୈନ୍ଦ୍ରିକ ପାର୍ଟି ହେବ ବୋଲି କହିଛନ୍ତି ମହମ୍ମଦ ମୋକିମ । ନୂଆଦଳ ଗଠନ ନେଇ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛି । ସମସ୍ତଙ୍କ ମତାମତ ନେଇ ଦଳ ଗଠନ ହେବ । କଂଗ୍ରେସରୁ ବହିଷ୍କୃତ ହେବା ପରେ ମୋକିମ ନୂଆ ଦଳ ଗଠନ ନେଇ ମତ ରଖିଛନ୍ତି ଦଳର ବରିଷ୍ଠ ନେତାମାନେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ମହମ୍ମଦ ମୋକିମଙ୍କୁ ନୂଆଦଳ କଂଗ୍ରେସକୁ ବିଭାଜିତ କରିପାରିବ ନାହିଁ । ମହମ୍ମଦ ମୋକିମ ନୂଆ ଆଞ୍ଚଳିକ ଦଳକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ l କଂଗ୍ରେସ ଦଳ ହେଉଛି ହିମାଳୟ l କଂଗ୍ରେସ ନାଁ ଲଗାଇ କିଏ କେତେ ଦଳ କରିଛି l ଜନ କଂଗ୍ରେସ, ଉତ୍କଳ କଂଗ୍ରେସ ପରି ପାର୍ଟି ହୋଇଥିଲା ତାହାର କିଛି ପ୍ରଭାବ ପଡିନି l ତେଣୁ ମୋକିମଙ୍କ ଆଞ୍ଚଳିକ ଦଳ କୌଣସି ପ୍ରଭାବ ପକାଇବନି l ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି, ବିଜେପି ଓ କଂଗ୍ରେସ ଦଳ ରହିବ l
ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚାକୁ ନେଇ ମତ ରଖିଛି ବିଜେଡି । ନୂଆ ଆଞ୍ଚଳିକ ଦଳର ପ୍ରଭାବ ବିଜେଡି ଉପରେ କେବେ ପଡି ନାହିଁ । ଏବେ ମଧ୍ୟ ପଡିବ ନାହିଁ । ୧୯୩୬ରୁ ଆଜି ଯାଏଁ ସଫଳ ଆଞ୍ଚଳିକ ରାଜନୈତିକ ଦଳ ହେଉଛି ବିଜେଡି । ଦଳ ଆସିଛନ୍ତି ଓ ଯାଇଛନ୍ତି । ଯିଏ ଭଲ କାମ କରିବ ଲୋକଙ୍କ ନିଷ୍ପତ୍ତି ତାଙ୍କ ସହ ରହିବ । ଲୋକେ ସବୁ ଜାଣୁଛନ୍ତି, ବୁଝୁଛନ୍ତି । ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, ବିଜେଡି ଛଡ଼ା କୌଣସି ଆଞ୍ଚଳିକ ଦଳ ରାଜ୍ୟରେ ତିଷ୍ଠିପାରିନାହିଁ । କଂଗ୍ରେସ ନାଁ ନେଇ ମୋକିମ ଦଳ ଗଠନ କରୁଥିବାରୁ ଏହା ଅସନ୍ତୋଷ କଂଗ୍ରେସ ନେତାଙ୍କୁ ଏକାଠି କରିବ ନିଶ୍ଚୟ । ମାର୍ଚ୍ଚରେ ମହମ୍ମଦ ମୋକିମ ଗଠନ କରୁଥିବା ନୂଆ ଦଳରେ କେଉଁମାନେ ରହିବେ ? କେବଳ ଅସନ୍ତୋଷ କଂଗ୍ରେସ ନେତା ନା ରାଜ୍ୟର ଅନ୍ୟ ଦଳର କିଛି ବଡ ରାଜନେତା, ତାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ।

