ନିଜ ଗଡ଼ରେ ନୋଟାଠାରୁ କମ ଭୋଟ ପାଇଲେ କଂଗ୍ରେସ ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ଫଳାଫଳ ଆସି ସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ସମାଜବାଦୀ ପାର୍ଟି, ଯୋଗୀ ଝଡର କିଛି ମାତ୍ରାରେ ସାମ୍ନା କରିଥିଲେ ବି ଏହା ସରକାର ଗଠନ ପାଇଁ ଯଥେଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ୟୁପିରେ ଅସ୍ତିତ୍ବ ହରାଇଛନ୍ତି କହିଲେ ଭୁଲ ହେବ ନାହିଁ । ରୋଚକ କଥା ହେଲା ଏକଦା କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ କ୍ଷେତ୍ରରେ ଦଳକୁ ମାଟି କାମୁଡ଼ିବାକୁ ପଡିଛି । ଏମିତି କିଛି ଆସନ ଅଛି ଯେଉଁଠି ଅମାନତ କଥା ଛାଡନ୍ତୁ, ନୋଟାଠାରୁ ବି କମ୍ ଭୋଟ ପାଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଆସନ୍ତୁ ଜାଣିବା ବୁନ୍ଦେଲଖଣ୍ଡ କ୍ଷେତ୍ରରେ କଂଗ୍ରେସର ଇତିହାସ ଓ ଚଳିତ ବିଧାନସଭାରେ ଏଠାରେ ଦଳର ଶୋଚନୀୟ ପ୍ରଦର୍ଶନ ସମ୍ପର୍କରେ ।

ସୁଶୀଲା ନାୟର ଓ ବୁନ୍ଦେଲଖଣ୍ଡ

ବୁନ୍ଦେଲଖଣ୍ଡକୁ କଂଗ୍ରେସର ଦୁର୍ଗ ବନାଇବାରେ ସୁଶୀଲା ନାୟରଙ୍କର ଥିଲା ବଡ ଅବଦାନ । ଏମିତି କି ତାଙ୍କୁ ମହାତ୍ମା ଗାନ୍ଧିଙ୍କ ଝିଅ ବୋଲି ଏଠିକାର ଲୋକେ ମାନିଥାନ୍ତି । ବୁନ୍ଦେଲଖଣ୍ଡର ହାଇପ୍ରୋଫାଇଲ ଝାନ୍ସି ଲୋକସଭା କ୍ଷେତ୍ରରୁ ସୁଶୀଲା ସାଂସଦ ଭାବେ ଜିତି ଆସୁଥିଲେ । ଏହିଠାରୁ ଜିତି ସେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଭଳି ପଦ ସମ୍ଭାଳିଛନ୍ତି । ତାଙ୍କ ପରେ ସୁଜନ ସିଂ ବୁନ୍ଦେଲ, ରାଜା ବୁନ୍ଦେଲ ଏବଂ ପ୍ରଦୀପ ଜେନ୍ ଆଦିତ୍ୟ ଏଠାରୁ କଂଗ୍ରେସକୁ ଆଗକୁ ନେଇଥିଲେ ।

ଚଳିତ ନିର୍ବାଚନରେ କଂଗ୍ରେସର ଏଠାରେ ଏମିତି ଅବସ୍ଥା ହେଲା ଯେ ଝାନ୍ସି ଲୋକସଭା କ୍ଷେତ୍ରର ୪ଟି ଯାକ ବିଧାନସଭା କ୍ଷେତ୍ରରେ ଦଳକୁ ପରାଜୟ ସ୍ବାଦ ଚାଖିବାକୁ ପଡିଛି । ସେତିକି ନୁହେଁ, ବୁନ୍ଦେଲଖଣ୍ଡର ଏମିତି କିଛି ଆସନ ରହିଛି ଯେଉଁଠି ଭୋଟର ନୋଟାଠାରୁ ବି କମ ଭୋଟ୍ କଂଗ୍ରେସକୁ ଦେଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ବିଧାନସଭା ଆସନ ସମ୍ପର୍କରେ ଯେଉଁଠି କଂଗ୍ରେସ ପ୍ରାର୍ଥୀ ନୋଟାଠାରୁ ବି କମ ଭୋଟ ପାଇଛନ୍ତି ।

ମଓରାନୀପୁର ଆସନ

ଝାନ୍ସି ଜିଲ୍ଲାର ମଓରାନୀପୁର ଆସନରେ କଂଗ୍ରେସ ଭଗବାନ ଦାସଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ତାଙ୍କୁ ମାତ୍ର ୩ ହଜାର ୩୨୩ ଖଣ୍ଡ ଭୋଟ ମିଳିଛି । ଏହି ଆସନରେ ଭୋଟର ନୋଟାରେ ୩ ହଜାର ୪୭୧ ଖଣ୍ଡ ଭୋଟ ପକାଇଛନ୍ତି । ଏଠାରେ ବିଜେପି ସହଯୋଗୀ ଆପନା ଦଳ ସୋନେଲାଲ ପ୍ରାର୍ଥୀ ରଶ୍ମି ଆର୍ଯ୍ୟ ୫୮ ହଜାର ୫୯୫ ଖଣ୍ଡ ଭୋଟରେ ସାପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।

ବାନ୍ଦା ଆସନ

କାଲିଞ୍ଜର ପାଇଁ ପ୍ରସିଦ୍ଧ ବାନ୍ଦା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମୀନାରାୟଣଙ୍କୁ ମାତ୍ର ୧୮୯୪ ଖଣ୍ଡ ଭୋଟ ମିଳିଛି । ହେଲେ ଏଠାରେ ନୋଟାରେ ୧୯୯୧ ଖଣ୍ଡ ଭୋଟ ପଡିଛି । ବିଜେପିର ପ୍ରକାଶ ଦ୍ବିବେଦୀ ୧୫ ହଜାର ୨୧୪ ଭୋଟରେ ସାପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।

ବବେରୁ ଆସନ

ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଗଜେନ୍ଦ୍ର ସିଂ ପଟେଲଙ୍କୁ ମାତ୍ର ୨୧୧୨ ଖଣ୍ଡ ଭୋଟ ମିଳିଛି । ଏଠାରେ ନୋଟାରେ ୩ ହଜାର ୪୭ ଖଣ୍ଡ ଭୋଟ ପଡିଛି । ଏହି ଆସନରେ ସାପା ପ୍ରାର୍ଥୀ ବିଶ୍ବମ୍ଭର ସିଂ ଯାଦବ ୭ ହଜାର ୩୯୩ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।

ନରୋନୀ ଆସନ

ନରୋନୀ ଆସନରେ କଂଗ୍ରେସ ପ୍ରାର୍ଥୀ ପବନ ଦେବୀଙ୍କୁ ମାତ୍ର ୧୮ ଶହ ୬ ଘଣ୍ଟ ଭୋଟ ମିଳିଛି । ହେଲେ ଏହି ଆସନରେ ଭୋଟର ନୋଟା ବଟମକୁ ୩ ହଜାର ୪୨୦ ଥର ଦାବିଛନ୍ତି । ଏହି ଆସନରେ ବିଜେପି ପ୍ରାର୍ଥୀ ୬ ହଜାର ୭୧୯ ଖଣ୍ଡ ଭୋଟରେ ସାପା ପ୍ରାର୍ଥୀଙ୍କୁ ପରାସ୍ତା କରିଛନ୍ତି ।