ସୃଜନ ମାଧ୍ୟମରେ କଂଗ୍ରେସର ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାରେ ଲଢେଇ ଜୋରଦାର

ଭୁବନେଶ୍ୱର : କଂଗ୍ରେସ ଜିଲ୍ଲା ସଭାପତି ପଦ ପାଇଁ ଜିଲ୍ଲା ସ୍ତରରେ ହେଉଛି ଲଢେଇ ଜୋରଦାର। ସୃଜନ କାର୍ଯ୍ୟକ୍ରମରେ ବି ଚାଲିଛି ଜୋରଦାର ଲବି। ଏପରିକି ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ଏସବୁ ଭିତରେ ପିସିସି ସଭାପତି ଭକ୍ତ ଦାସ କଡା ବାଣୀ ଶୁଣାଇଛନ୍ତି। ସୃଜନ ଦ୍ୱାରା ଜିଲ୍ଲା ସଭାପତି ଚୟନ ହେବାର ୩ ମାସ  ଜୋରଦାର କାମ ହେବ। ସେଥିରେ ଯେଉଁମାନେ ପାସ ନ ହେବେ ସେମାନେ ପଦରୁ ବିଦା ହେବେ। ଦଳ ପକ୍ଷରୁ ଯେଉଁ କାମ ଦିଆଯିବ ତାହା ସଠିକ ଭାବେ କରି ଦେଖାଇଲେ ପଦରେ ରହିବେ ନ ହେଲେ ବିଦା ହେବେ। ତେଣୁ ଯେଉଁ ବାଟରେ ସଭାପତି ପଦରେ ବସିଲେ ବି କାମ କରି ଦେଖାଇବାକୁ ପଡିବ।

ସେପଟେ ସଂଗଠନ ସୃଜନ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଆଶାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଖବର ଆସୁଛି। ସୃଜନ କାର୍ଯ୍ୟକ୍ରମରେ ସମସ୍ତ ବର୍ଗଙ୍କ ମତ ରଖିବାର ବ୍ୟବସ୍ଥା ରହିଛି। ଏଥିରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଓପନ କରାଯାଇଛି। କିନ୍ତୁ ଏଆଇସିସି କି ପିସିସି ତରଫରୁ ଏଥିରେ କିଛି ହସ୍ତକ୍ଷେପ ନାହିଁ ବୋଲି ପିସିସି ସଭାପତି କହିଛନ୍ତି। ଜିଲ୍ଲାର ସବୁଠୁ ଦୃଢ଼ ଲୋକ ସଭାପତି ହୋଇ ଆସନ୍ତୁ। ପ୍ରତିବାଦ ହେବା ସୁସ୍ଥ ପରମ୍ପରା। ଏହା ଦ୍ୱାରା ଭଲ ବ୍ୟକ୍ତି ହିଁ ନିର୍ବାଚିତ ହେବେ। ପଦ ପାଇଁ ଲବି କଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପିସିସି ସଭାପତି। ଏଆଇସିସି ନିର୍ଦେଶରେ ରାଜ୍ୟରେ ଭିନ୍ନ ଢାଞ୍ଚାରେ ସଂଗଠନ ସଜଡ଼ା କାର୍ଯ୍ୟ ହେଉଛି। ଜିଲ୍ଲା ସଭାପତି ଚୟନ ପାଇଁ ହେଉଥିବା ସୃଜନ ଵ୍ୟଵସ୍ଥାରେ ରାଜ୍ୟବ୍ୟାପୀ କଂଗ୍ରେସ ଶିବିର ହୋଇଛି ଚଳଚଞ୍ଚଳ।