କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା: ୩୦ ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା । ୩୦ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା । ଓଡ଼ିଶାର ବରିଷ୍ଠ ନେତାଙ୍କ ସହ ଏଆଇସିସି କରିବ ବୈଠକ । ଫୋକସରେ ତୃଣମୂଳ ସଂଗଠନ । ଓଡ଼ିଶାରେ ଶକ୍ତିଶାଳୀ ହେବ କଂଗ୍ରେସ । ଏଆଇସିସି ଫୋକସରେ ଓଡ଼ିଶା । ସଙ୍ଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଶେଷ ହେବା ପରେ ଓଡ଼ିଶା ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୩୦ ତାରିଖ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବା ନିଷ୍ପତ୍ତି ହୋଇଥିବାରୁ ଏହାପୂର୍ବରୁ ଓଡ଼ିଶାର ମଙ୍ଗୁଆଳ ସହ ବୈଠକ କରିବ ଏଆଇସିସି । ଆସନ୍ତା ୨୨ତାରିଖରେ ଏଆଇସିସି ଓଡ଼ିଶା ସଙ୍ଗଠନ ଉପରେ ଆଲୋଚନା କରିବ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ କରି କିପରି ଦଳ କ୍ଷମତାକୁ ଫେରିବ ତାହା ଉପରେ ଏଆଇସିସି ଫୋକସ କରିଛି ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ଦେଇଛନ୍ତି । ତାହା ଉପରେ ଚୂଡାନ୍ତ ମୋହର ବାଜିବ।
୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି କଂଗ୍ରେସ । ଦଳର ଭୋଟହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଛି । ସଂଗଠନ ଅଛି, ଏକତା ନଥିବାରୁ ଦଳ ଓଡ଼ିଶାରେ କ୍ଷମତାକୁ ଆସି ପାରୁନାହିଁ । ନିକଟରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓଡିଶାରେ ସଂଗଠନ ସୃଜନ ଅଭିଯାନର ସମୀକ୍ଷା କରିବା ସହ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଥଲେ । ଜିଲ୍ଲା ସଭାପତିମାନଙ୍କୁ ଅଧିକ ଶକ୍ତଶାଳୀ କରିବା ପାଇଁ ଏଆଇସିସିର ଏହି ବୈଠକ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ ଏଆଇସିସି । ଏହାପରେ ବ୍ଲକ ସଭାପତି, ନଗର ସଭାପତି ଚୂଡାନ୍ତ କରାଯିବ ।ଏଆଇସିସି ଓଡିଶାକୁ ଫୋକସ କରିଥିବାରୁ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ଓ ଏଆଇସିସିର ବରିଷ୍ଠ ନେତାମାନେ ବାରମ୍ବାର ଦିଲ୍ଲୀ ଡାକି ଆଲୋଚନା କରୁଛନ୍ତି ।