ତିନି ରାଜ୍ୟରେ ପରାଜୟ ବିଗାଡ଼ିଲା କଂଗ୍ରେସ ଖେଳ, INDIA ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ

1 min read

ଭୁବନେଶ୍ବର: ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ବିଗାଡ଼ି ଦେଲା କଂଗ୍ରେସର ସବୁ ଅଙ୍କ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । ବିଶେଷ କରି INDIA ମେଣ୍ଟର ଲଗାମ ଏବେ କାହା ହାତରେ ରହିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ କଂଗ୍ରେସ କ୍ଷମତାକୁ ଫେରୁଛି । ହେଲେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଭୋଟ ଗଣତି ଯେତେ ଯେତେ ଆଗଉଛି, କଂଗ୍ରେସ ସେତେ ସେତେ ପଛେଇବାରେ ଲାଗିଛି । ଏହି ୩ ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ଆଡକୁ ଯାଉଥିବା ବେଳେ INDIA ମେଣ୍ଟକୁ ନେଇ ଜେଡିୟୁ ନେତା କଂଗ୍ରେସକୁ ଟାର୍ଗେଟ୍ କରିଦେଇଛନ୍ତି ।

୩ ରାଜ୍ୟରେ ଖରାପ ପ୍ରଦର୍ଶନ ପରେ ଜେଡିୟୁ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛି । ଜେଡିୟୁ ପ୍ରଦେଶ ମହାସଚିବ ନିଖିଲ ମଣ୍ଡଳ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ INDIA ମେଣ୍ଟକୁ ନୀତୀଶ କୁମାରଙ୍କ ଅନୁସାରେ ଚାଲିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ନିଖିଲ କହିଛନ୍ତି, ‘କିଛିଦିନ ହେବ କଂଗ୍ରେସ ୫ଟି ରାଜ୍ୟର ନିର୍ବାଚନକୁ ନେଇ ବ୍ୟସ୍ତ ରହିଲା । ଏହି କାରଣରୁ INDIA ମେଣ୍ଟ ପ୍ରତି ଧ୍ୟାନ ଦେଇ ପାରୁନଥିଲା । ଏବେ କଂଗ୍ରେସ ନିର୍ବାଚନ ଲଢ଼ି ସାରିଛି ଓ ଫଳାଫଳ ବି ଆପଣଙ୍କ ଆଗରେ ଅଛି । ନୀତୀଶ କୁମାର INDIA ମେଣ୍ଟର ସୂତ୍ରଧାର ଓ ଏହି ଡଙ୍ଗାକୁ ସେ ହିଁ କୂଳରେ ଲଗାଇବେ ।’

ଏପଟେ ଭୋଟ ଗଣତି ଚାଲିଥିବା ବେଳେ INDIA ମେଣ୍ଟର ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆସନ୍ତା ୬ ତାରିଖରେ ଦିଲ୍ଲୀରେ ବସିବ ଏହି ବୈଠକ । ବିପକ୍ଷ ଦଳର ନେତାଙ୍କୁ ଫୋନ କରି ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି ଖଡଗେ ।