କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ୫ଟି ରାଜ୍ୟକୁ ଫୋକସ

ହାଇଦ୍ରାବାଦ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବା ସିଡବ୍ଲୁସି ବୈଠକରେ ୫ଟି ରାଜ୍ୟକୁ ଫୋକସ । ହାଇଦ୍ରାବାଦରେ ବସିଥିବା ସିଡବ୍ଲୁସି ବୈଠକରେ ୫ଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ପ୍ଲାନ ପ୍ରସ୍ତୁତ ହୋଇଛି । ଏହା ସହ ତେଲଙ୍ଗାନା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଦେଶରେ ଗଣତନ୍ତ୍ର, ସାମାଜିକ ନ୍ୟାୟ, ସମାନତା ପ୍ରତିଷ୍ଠା ଲାଗି କଂଗ୍ରେସ ଚେଷ୍ଟିତ ହେବ ବୋଲି କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ଦଳର ବିଜୟ ତଥା ଦଳକୁ ସୁଦୃଢ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି ।

ତେଲଙ୍ଗାନାର ପ୍ରଗତି ଓ ବିକାଶ ଲାଗି କଂଗ୍ରେସ ଦୃଷ୍ଟି ରଖିବା ସହ ତେଲଙ୍ଗାନାବାସୀ ଓ ଦେଶବାସୀଙ୍କ ସ୍ବାଭିମାନ ବଜାୟ ରଖିବା ଲାଗି ଦଳ ଆଭିମୁଖ୍ୟ ରଖିଛି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ବୋଲି ଜୋର ଦେଇ କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବହୁମତ ଲାଭ କରିବ ।