ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସର ସମାଲୋଚନା

1 min read

ନୂଆଦିଲ୍ଲୀ: କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ହେଲେ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବାରେ ଲାଗିଛି । ଭର୍ତ୍ତୃହରିଙ୍କ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସ ସମାଲୋଚନା କରିଛି ।

ଦଳ କହିଛି ସଂସଦରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ କେ. ସୁରେଶ । ତାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯିବାର ଥିଲା । ମାତ୍ର ଏହା କରାଗଲା ନାହିଁ। ସଂସଦୀୟ ବ୍ଯାପାର ମନ୍ତ୍ରୀଙ୍କ ଏହା ତ୍ରୁଟି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ ।

ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଥିଲେ । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ସେ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ ।