ଫ୍ରିଜ ହେଲା କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ

1 min read

ନୂଆଦିଲ୍ଲୀ: କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ ଫ୍ରିଜ। ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ। ଦୁଇ ଦିନ ତଳେ ଜଣାପଡିଥିଲା ଯେ, କଂଗ୍ରେସ ଓ ଯୁବ କଂଗ୍ରେସ ଯେଉଁ ଚେକ ଦେଉଛି ତାହା ଭଙ୍ଗା ହୋଇପାରୁନି। ବ୍ଯାଙ୍କ ଟଙ୍କା ଦେଉନାହିଁ। ଏହାପରେ ଦଳ ଖୋଳତାଡ଼ କରିଥିଲା । ପରେ ଜଣାପଡିଥିଲା ସବୁ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି।

୨୦୧୮-୧୯ରେ କଂଗ୍ରେସ ୪୦ରୁ ୪୫ ଦିନ ବିଳମ୍ବରେ ଇନକମ ଟ୍ଯାକ୍ସ ରିଟର୍ଣ୍ଣ କରିଥିଲା। ଏହାସହ ୧୪ ଲକ୍ଷ ଟଙ୍କା କ୍ଯାସରେ ଚାନ୍ଦା ଦେବା ନେଇ ଆଇଟି ୫ ବର୍ଷ ପରେ ଏପରି ପଦକ୍ଷେପ ନେଇଛି। ଏହାକୁ ନେଇ ୨୧୦ କୋଟି ଭରଣା କରିବାକୁ ଦାବି କରିଛି । ତେବେ ଆକାଉଣ୍ଟ ଅଚଳ କରିଦିଆଯିବାରୁ ଏବେ ଦଳ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ପାଣି, ବିଜୁଳି ବିଲ ଏବଂ କର୍ମଚାରୀଙ୍କ ଦରମା ଦେବାକୁ ଦଳ ଅସମର୍ଥ।

ଭାରତ ଯୋଡୋ ନ୍ଯାୟ ଯାତ୍ରା ମଧ୍ଯ ପ୍ରଭାବିତ ହେବାର ଆଶଂକା ରହିଛି । ଗଣତନ୍ତ୍ରରେ ଏପରି କାର୍ଯ୍ଯ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଅଜୟ ମାକେନ । ତେବେ ଏତେ ତମ୍ବିତୋଫାନ ହେବା ପରେ ବୁଧବାର ଯାଏଁ ଅଚଳାବସ୍ଥା ହଟାଇ ଦିଆଯାଇଛି । ତେବେ ଏପରି ମନମାନିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମୁଖ୍ଯ ବିରୋଧୀ ଦଳର ଆକାଉଣ୍ଟ ଅଚଳ କରିଦେବା ଗଣତନ୍ତ୍ରର ହତ୍ଯା ବୋଲି କହିଛନ୍ତି ଅଜୟ ମାକେନ।