ସୋନିଆ ଗାନ୍ଧିଙ୍କ ମା’ଙ୍କ ବିୟୋଗ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ମିଲାନ : କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ଅଗଷ୍ଟ ୨୭ ତାରିଖ ଦିନ ନିଧନ ହୋଇଯାଇଛି। ମଙ୍ଗଳବାର ଦିନ ପାଓଲାଙ୍କ ଅନ୍ତିମ ସଂସ୍କାର ସମ୍ପନ ହୋଇଛି। ପାଓଲାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ସୋନିଆ ମା’ଙ୍କୁ ଭେଟିବା ପାଇଁ ଇଟାଲି ଯାଇଥିଲେ। ତାଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଇଟାଲି ଯାଇଛନ୍ତି।
ପାଓଲାଙ୍କ ଦେହାନ୍ତ ବାବଦରେ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ସୂଚନା ଦେଇଥିଲେ । ଟ୍ୱିଟ୍ କରି ଜୟରାମ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାରମ୍ବାର ବିଦେଶଗସ୍ତ ପାଇଁ ସମାଲୋଚନାର ଶିକାର ହେଉଥିବା ସୋନିଆଙ୍କ ସମର୍ଥନରେ ଦଳ ଆଗକୁ ଆସିଥିଲା । ଗତ ସପ୍ତାହ ଗସ୍ତ ବାବଦରେ ଦଳ ପକ୍ଷରୁ କୁହାଯାଇଥିଲା ଯେ,ସୋନିଆ ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବାକୁ ଇଟାଲି ଯାଇଛନ୍ତି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୋନିଆଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମୋ ସମବେଦନା ପୁରା ପରିବାର ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଟ୍ୱିଟ୍ କରିଶୋକବ୍ୟକ୍ତ କରିଛନ୍ତି ।